om academy

ମଣ୍ଡିରେ ପଡିରହୁଛି ଧାନ : ଆତ୍ମହତ୍ୟା ପାଇଁ ଚାଷୀଙ୍କ ଧମକ, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ମାଗିଲେ ଚାଷୀ

jsm

ଖପ୍ରାଖୋଲ, (ଅଶୋକ ବାଗ) : ଚଳିତ ଖରିପ ଋତୁରେ ଖପ୍ରାଖୋଲ ବ୍ଲକ ଅଂଚଳରେ ବିଗତ ବର୍ଷ ତୁଳନାରେ ଧାନ ଚାଷ ଭଲ ହୋଇଥିବା ବେଳେ ଏହାକୁ ନେଇ ଚାଷୀ ଉତ୍ସାହିତ ହୋଇଥିଲେ । ମାତ୍ର ଅମଳଧାନ ବିକ୍ରି କରିବାରେ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ଧାନ ବିକ୍ରି କରିବାକୁ ମଣ୍ଡିକୁ ନେଉଥିବା ବେଳେ ମଣ୍ଡିରେ ଦୀର୍ଘଦିନ ଧରି ଧାନ ବିକ୍ରି ହୋଇନପାରି ପଡିରହୁଛି । ଟାର୍ଗେଟ ଅଭାବରୁ ଧାନ ବିକ୍ରି ହୋଇପାରୁନଥିବା ବେଳେ ଚାଷୀ ଧାନ ଅଭାବି ବିକ୍ରିର ସମ୍ମୁଖୀନ ହେଉଅଛି । ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗ୍ରାମର ଚାଷୀ ନିଳାମ୍ବର ବିଶ୍ୱାଳଙ୍କର ଧାନ ମଣ୍ଡିରେ ବିକ୍ରି ହୋଇପାରିନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହିତ ଧାନ ବଦଳରେ ଗଞ୍ଜେଇ ଚାଷ କରିବା ପାଇଁ ବଲାଙ୍ଗିର ଜିଳ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି । ଏଥି ସହିତ ଧାନ ବିକ୍ରି ନହେଲେ ସେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଥିବା ଘଟଣା ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ଉକ୍ତ ଚାଷୀ ନିଳାମ୍ବର ବିଶ୍ୱାଳ ଚଳିତ ଖରିଫ ଋତୁରେ ତାଙ୍କର ପୈତୃକ ସମ୍ପତି ୧୫ ଏକରରେ ଧାନ ଚାଷ କରିଥିଲେ । ଚାଷରୁ ପ୍ରାୟ ୫୦୦ ପ୍ୟାକେଟ ଧାନ ଅମଳ ହୋଇଥିଲା । ମାତ୍ର ୭୮ କ୍ୱିଟାଂଲ ଧାନ ବିକ୍ରି ପାଇଁ ସେ ଟୋକନ ପାଇଛନ୍ତି । ଗତ ୨ ତାରିଖରୁ ସେ ଗାଡି ଭଡା କରି ଧାନ ଆଣି ମଣ୍ଡିରେ ରଖିଥିଲେ ମଧ୍ୟ ଏ ଯାଏଁ ତାଙ୍କର ଧାନ ବିକ୍ରି ହୋଇପାରିନଥିବାରୁ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଧାନ ଚାଷ ହୋଇଥିବା ତାଙ୍କର ସମସ୍ତ ଜମି ପଞ୍ଜିକରଣ କରାଯାଇନଥିବାରୁ ସେ ଧାନ ବିକ୍ରି କରିବାରୁ ବଂଚିତ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ସେ ଚାଷ କରିଥିବା ଜମି ପଞ୍ଜିକରଣ ହୋଇନଥିବାରୁ ସେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଆର୍‌ଆଇ, କୃଷି ବିଭାଗ କର୍ମକର୍ତ୍ତା ଏବଂ ପ୍ୟାକ୍ସ କର୍ମଚାରୀ ତାଙ୍କ ଚାଷ ଜମି ପରିଦର୍ଶନ କରିଥିଲେ ମଧ୍ୟ ଏ ଯାଏଁ ତାଙ୍କର ଜମି ସମ୍ପୂର୍ଣ୍ଣ ପଞ୍ଜିକରଣ ହୋଇପାରିନଥିବାରୁ ତାଙ୍କର ଅମଳ ହୋଇଥିବା ଧାନ ଘରେ ପଡିରହିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ଚାଷୀ ଜଣଙ୍କର ଧାନ ବିକ୍ରି ହୋଇପାରିନଥିବାରୁ ସେ ଘୋର ଆର୍ଥିକ ଅନାଟନ ମଧ୍ୟରେ କାଳ କାଟୁଛନ୍ତି । ଅର୍ଥ ଅଭାବ ଯୋଗୁଁ ସେ ରବିଧାନ ଚାଷ କରିବାରୁ ବଂଚିତ ହୋଇଥିବା ନେଇ ସେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି । ଏହି ପତ୍ର ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ସେ ପ୍ରଦାନ କରିଛନ୍ତି । ଧାନ ବିକ୍ରି ନହେଲେ ଗଞ୍ଜେଇ ଚାଷ କରିବା ପାଇଁ ତାଙ୍କୁ ଅନୁମତି ଦେବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ନଚେତ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା କରିବେ ବୋଲି ତାଙ୍କ ପତ୍ରରେ ଲେଖି ଜଣାଇଛନ୍ତି । ଏନେଇ ଖପ୍ରାଖୋଲ ପ୍ୟାକ୍ସ ସମ୍ପାଦକ ଶ୍ରୀପତି ଭୋଇଙ୍କୁ ପଚାରିବାରୁ ଟାର୍ଗେଟ ନଥିବାରୁ ସମ୍ପୃକ୍ତ ଚାଷୀଙ୍କର ଧାନ ବିକ୍ରି ହୋଇପାରିନଥିବା କହିଛନ୍ତି । ଅନ୍ୟପକ୍ଷରେ ତହସିଲଦାର ଆଦିତ୍ୟ ମିଶ୍ର ଟୋକନ ପାଇଥିବା ଚାଷୀଙ୍କଠାରୁ କ୍ରମାନ୍ୱୟରେ ଧାନ କ୍ରୟ କରାଯାଉଛି । ନଚେତ ନିର୍ଦ୍ଧାରିତ ସମୟ ଗଡିଗଲେ ଅନ୍ୟଚାଷୀମାନେ ମଧ୍ୟ ଧାନ ବିକ୍ରି କରିବାରୁ ବଂଚିତ ହେବାର ଆଶଙ୍କା ରହିଛି । ସମ୍ପୃକ୍ତ ଚାଷୀ ଜଣକ ଟୋକନ ପାଇଛନ୍ତି । ତାଙ୍କର ଏହି ମାସ ଶେଷ ପର୍ଯ୍ୟନ୍ତ ଧାନ ବିକ୍ରି କରିବାର ଅବଧି ରହିଥିବାରୁ ତାଙ୍କୁ ଧାନ ବିକ୍ରି କରିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.