jayashree

ବିଧାନସଭା ସମ୍ମୁଖରେ ବ୍ରାହ୍ମଣ ସମାଜର ଗଣ ଆନ୍ଦୋଳନ

  • UGC ନିୟମ, ମିଥ୍ୟା SC-ST ମାମଲା ଓ ଜାତିଭିତ୍ତିକ ସଂରକ୍ଷଣ ପ୍ରତ୍ୟାହାର ଦାବିରେ ୨୯ରେ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣ ବର୍ଗଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଦାବିକୁ ନେଇ ଆସନ୍ତା ନଭେମ୍ବର ୨୯ ତାରିଖରେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଗଣ ଆନ୍ଦୋଳନ ହେବ। ଏହି ଆନ୍ଦୋଳନରେ ବ୍ରାହ୍ମଣ, କ୍ଷତ୍ରିୟ ଓ ଖଣ୍ଡାୟତ ସମାଜର ସଦସ୍ୟମାନେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଶ୍ରୀଶ୍ରୀ ନୃସିଂହ ମନ୍ଦିର ପରିସରରେ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଗାମୀ ଆନ୍ଦୋଳନ ସମ୍ପର୍କରେ ରାଜ୍ୟସ୍ତରରୁ ଆସିଥିବା ପତ୍ର ଓ ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ଦେଇଥିଲେ । ଏହାକୁ ଉପସ୍ଥିତ ସଦସ୍ୟମାନେ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ । ଆସନ୍ତା ୨୯ ତାରିଖ ରବିବାର ସକାଳ ୧୦ଟାରେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ UGC ନିୟମ ପ୍ରତ୍ୟାହାର, ମିଥ୍ୟା SC-ST ମାମଲା ପ୍ରତ୍ୟାହାର ଏବଂ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ପ୍ରତ୍ୟାହାର ଆଦି ଦାବି ନେଇ ଏହି ଆନ୍ଦୋଳନ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଭବିଷ୍ୟତ ପିଢ଼ିର ସ୍ୱାର୍ଥ ଓ ଅଧିକାରକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ସଦସ୍ୟ ଆନ୍ଦୋଳନରେ ଯୋଗଦେବାକୁ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ବଲାଙ୍ଗିର ଜିଲ୍ଲାରୁ ଶତାଧିକ ସଦସ୍ୟ ଭୁବନେଶ୍ୱର ଯାଇ ଆନ୍ଦୋଳନରେ ସାମିଲ ହେବା ସହ ରାଜଧାନୀରେ ରହୁଥିବା ଚାକିରିଆ, ଛାତ୍ରଛାତ୍ରୀ ଓ ବନ୍ଧୁବର୍ଗଙ୍କୁ ମଧ୍ୟ ଏଥିରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି। ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ଏକଜୁଟ ହୋଇ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.