
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ମଧ୍ୟସ୍ଥଳରେ ଥିବା ପ୍ରସିଦ୍ଧ କୋକଡୁଙ୍ଗୁରୀ ଛକ୍ ଭଣ୍ଡାର ଗୃହରୁ ଦାନବାକ୍ସ ଭାଙ୍ଗିବା ସହ ଟଙ୍କା, ପଇସା ଓ ଚାଉଳ, ଡାଳି ଭଳି ଅନ୍ୟାନ୍ୟ ବହୁ ସାମଗ୍ରୀ ଚୋରି ହୋଇଥିବା ନେଇ ଆୟୋଜକ ପଞ୍ଚସଖା ସତ୍ସଙ୍ଗ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ଗୁରୁବାର ବଙ୍ଗୋମୁଣ୍ଡା ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ଗତ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ପଞ୍ଚସଖା ସତ୍ସଙ୍ଗ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ଷୋହଳ ପ୍ରହରୀ ନାମଯଜ୍ଞ ସହ ବିରାଟ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ପରେ ବଳକା ସମସ୍ତ ସାମଗ୍ରୀ ଆଦିକୁ କମିଟି ପକ୍ଷରୁ ଭଣ୍ଡାର ଗୃହରେ ତାଲା ପକାଇ ରଖାଯାଇଥିଲା । ଗୁରୁବାର ସକାଳୁ କମିଟି ସଭାପତି କେଶବ ପରଭୋଇ, ଯଜ୍ଞକର୍ତ୍ତା ନରେନ୍ଦ୍ର ଜାନୀ ଓ ନୂଆପଡ଼ାର କୋଦଣ୍ଡଧର ଭୋଇ ଘଟଣାସ୍ଥଳକୁ ଯାଇ ଦେଖିଲେ ଯେ, ଭଣ୍ଡାର ଗୃହ ଓ କାର୍ଯ୍ୟାଳୟ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି ହୋଇଛି । ଦାନବାକ୍ସ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା, ପଇସା, ୫ବସ୍ତା ଚାଉଳ, ୩୦କେଜି ଡାଳି, ୫କେଜି ଖାଇବା ତେଲ, ବହୁ ପୂଜା ସାମଗ୍ରୀ, ବାସନ, ଗଞ୍ଜ, ବାଲଟି, ଢାଙ୍କୁଣି, ମଗ୍ ସହ ୧୨ଟି ଗ୍ଲାସ୍ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ କମିଟି ସଭାପତି କେଶବ ପରାଭୋଇ, ଉପସଭାପତି ରାଏଧର ମାହାକୁର, ସମ୍ପାଦକ ଦେବରାଜ ଲୁହା, କୋଷାଧ୍ୟକ୍ଷ ମୋହନ ମାଝୀ ଓ ଯୁଗ୍ମ ସମ୍ପାଦକ ମାଲିକ ମହାକୁର ଆଲୋଚନା କରି ଥାନାକୁ ଯାଇ ଚୋରି ନେଇ ଏତଲା ଦେଇଥିଲେ । ଦୃର୍ବୃତ୍ତମାନେ ଶେଷରେ ଏବେ ବିଭିନ୍ନ ଦେବାଳୟ, ମନ୍ଦିର ଓ ଆଧ୍ୟାତ୍ମିକ ସ୍ଥଳୀଗୁଡିକରୁ ବାରମ୍ବାର ଚୋରି କରୁଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ପୁଲିସ ତଦନ୍ତ କରି ଅତିଶୀଘ୍ର ଦୃର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଥାନା ଆଇଆଇସି ସଞ୍ଜୀବ ପଧାନଙ୍କୁ ପଚାରିବାରୁ କମିଟି ପକ୍ଷରୁ ଏତଲା ହୋଇଛି, ତଦନ୍ତ ପରେ ପ୍ରକୃତ ଚୋରି ଘଟଣା ବାବଦରେ ସ୍ପଷ୍ଟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି ।