
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ପଦ୍ମପୁର ସାହିର ନରସିଂହ ଦାସଙ୍କ ପୁତ୍ର ଶ୍ୟାମଘନ ଦାସ (୨୪) ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ମିଳିଛି । ଏନେଇ ଗୁରୁବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ଜଣାଯାଇଛି ଯେ, ବିପୁଳିଙ୍ଗି ଗ୍ରାମର ହରିଜନ ଦାସ ସାହିର ଯୁବକ ଶ୍ୟାମଘନ ଦାସ ଜଣେ ପଠୁଆପୁଅ, ଯେକି ଡିପ୍ଲୋମା ପଢ଼ୁଥିବା ଜଣେ ଯୁବକଙ୍କୁ ତିନିଜଣ ଟେକି ନେଇ ଗୋଡ଼ ହାତ ବାନ୍ଧି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବିଲ ମଧ୍ୟରେ ଫୋପାଡ଼ି ଦେଇଥିଲେ । କୁହାଯାଏ ଯେ, ଗୁରୁବାର ସନ୍ଧ୍ୟାରେ ନିଜ ଗାଁ ପୋଖରୀକୁ ଜଣେ ସାଙ୍ଗ ସହ ଗାଧୋଇବାକୁ ଯାଇଥିଲେ । ହଠାତ୍ ତାଙ୍କୁ ବିଲମାଳ ଆଡ଼କୁ ଟେକି ନେଇ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅଚେତ ଅବସ୍ଥାରେ ବିଲମାଳରେ ପଡ଼ିଥିବା କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା କରାଇ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ଆକ୍ରମଣ ଘଟଣାରେ ପରିବାର ଲୋକେ କହିବା ଅନୁସାରେ ପୋଲିସ ବିପୁଳିଙ୍ଗି ଗ୍ରାମର ପଲସର ସାହିର ଅରୁଣ ଦାସ, ଦୀପୁ ଦାସ, ଗୋପାଳ ଦାସଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଏହା ଏକ ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।