
- କର୍ମୀ ଓ ସହାୟିକାଙ୍କ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା, ଗଛତଳେ ଚାଲିଛି ଶିଶୁଙ୍କ ଟିକାକରଣ
- ଟିକାକରଣ ସହ ପୁଷ୍ଟିକର ଖାଦ୍ୟ, ଅଣ୍ଡା ଓ ଛତୁଆରୁ ବଞ୍ଚିତ ଶତାଧିକ ଶିଶୁ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନର ପ୍ରଭାବ ଏବେ ସିଧାସଳଖ ଭାବେ ଶିଶୁଙ୍କ ଉପରେ ପଡ଼ିଛି। ୭ ଦଫା ଦାବି ପୂରଣ ନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳୀନ ଆନ୍ଦୋଳନ ଯୋଗୁଁ ମୁରିବାହାଲ ବ୍ଲକର ୨୧୩ଟି ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି। ଫଳରେ ଶିଶୁମାନେ ନିୟମିତ ଟିକାକରଣ ସହ ସରକାରଙ୍କ ପକ୍ଷରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ, ଅଣ୍ଡା ଓ ଛତୁଆରୁ ବଞ୍ଚିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ସମେତ ୭ ଦଫା ଦାବି ନେଇ ଗତ ୨୩ ତାରିଖରୁ ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସେମାନେ ରାଜଧାନୀ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଦାବି ପୂରଣ ନ ହେବାରୁ ଆନ୍ଦୋଳନ ଜାରି ରଖିବା ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିଛନ୍ତି। ଅନ୍ୟପକ୍ଷରେ, ପ୍ରତି ବୁଧବାର ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କ ଟିକାକରଣ କରାଯାଇଥାଏ। ହେଲେ କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ବିଭିନ୍ନ ସ୍ଥାନରେ ଖୋଲା ପଡ଼ିଆ ଓ ଗଛତଳେ ଟିକାକରଣ କରିବାକୁ ପଡ଼ିଛି। ଏଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ଉପସ୍ଥିତ ରହିଥିଲେ। ତେବେ ଏଭଳି ପରିସ୍ଥିତିରେ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଓ ସୁବିଧାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘର ସଭାନେତ୍ରୀ ଜ୍ୟୋତିର୍ମୟୀ ବାଗ କହିଛନ୍ତି ଯେ, ସଂଘର ୭ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା ଜାରି ରହିବ। କେନ୍ଦ୍ର ବନ୍ଦ ଯୋଗୁଁ ଶିଶୁମାନେ ଟିକାକରଣ ସହ ପୁଷ୍ଟିକର ଖାଦ୍ୟ, ଅଣ୍ଡା ଓ ଛତୁଆ ପାଇବାରୁ ବଞ୍ଚିତ ହେଉଥିବା କଥାକୁ ସେ ସ୍ୱୀକାର କରିଛନ୍ତି। ଆଗାମୀ ଦିନରେ ବ୍ଲକ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦିଆଯିବ ବୋଲି ସେ କହିଛନ୍ତି। ଏପଟେ ବ୍ଲକ ସିଡିପିଓ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ କହିଛନ୍ତି ଯେ, କର୍ମୀ ଓ ସହାୟିକାମାନେ ଆନ୍ଦୋଳନରେ ଯୋଗଦେଲେ ମଧ୍ୟ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା କଥା ନୁହେଁ। କେନ୍ଦ୍ର ଖୋଲା ରଖିବା ସହ ଆବଶ୍ୟକ କାର୍ଯ୍ୟ ଜାରି ରଖିବାକୁ ସୁପରଭାଇଜରମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି କେଉଁ ପରିସ୍ଥିତିରେ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି, ସେନେଇ ତଦନ୍ତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଥବୀର ମେହେର କେତେକ ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଥିବାରୁ ବାହାରେ ଟିକାକରଣ କରାଯାଇଥିବା ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ସେ ସିଡିପିଓଙ୍କୁ ତୁରନ୍ତ ଅବଗତ କରାଇଥିବା ମଧ୍ୟ କହିଛନ୍ତି। ତେବେ କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ମଧ୍ୟରେ ଶିଶୁଙ୍କ ମୌଳିକ ସେବା ପ୍ରଭାବିତ ହେବା ଘଟଣାକୁ ନେଇ ଗ୍ରାମାଞ୍ଚଳର ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଆନ୍ଦୋଳନ ନିଜ ବାଟରେ ଚାଲୁଥିବା ବେଳେ ଶିଶୁଙ୍କ ଟିକାକରଣ ଓ ପୁଷ୍ଟିସେବା ଯେପରି ବନ୍ଦ ନ ହୁଏ, ସେଥିପାଇଁ ପ୍ରଶାସନ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ସେବା ସ୍ୱାଭାବିକ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।