csstore

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର

  • ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ : ପଣ୍ଡିତ ବିରେନ୍ଦ୍ର ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ମା’ ହେଉଛନ୍ତି ପ୍ରଥମ ଗୁରୁ । ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ । ଯାହାଙ୍କ ଘରେ ଯଜ୍ଞ ହୁଏ ସେ ଘର କେବେ ଶ୍ମଶାନ ହୁଏନା ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ‘ଦିବ୍ୟ ଗୃହସ୍ଥ ଜୀବନ’ ଆଲୋଚନାଚକ୍ର ଅବସରରେ ମତ ରଖିଛନ୍ତି । ସେକ୍ଟର ୮ ଶିବମନ୍ଦିର ପ୍ରାଙ୍ଗଣରେ ମନ୍ଦିର କମିଟି ଓ ଆର୍ଯ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନି ଦିନିଆ ଆଲୋଚନାଚକ୍ରରେ ଓଟିଭିର ସର୍ବେ ଭବନ୍ତୁ ସୁଖୀନଃର ପ୍ରବକ୍ତା ପଣ୍ଡିତ ଶ୍ରୀ ପଣ୍ଡା ଉପରୋକ୍ତ ମନ୍ତବ୍ୟ ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ କହିଲେ ଯେ, ନିଜ ସଂସ୍କୃତିକୁ ଯିଏ ଭୁଲିଛି ସେ କେବେ ସଂସ୍କୃତି ସଂପନ୍ନ ହୋଇପାରିବ ନାହିଁ । ଯେଉଁ ଘରେ ସାଙ୍ଗରେ ଭୋଜନ ଓ ଭଜନ ହୁଏ ସେ ଘର କେବେ ଭିନ୍ନ ହୁଏ ନାହିଁ । ଏହା ସହ ଆଦର୍ଶ ସନ୍ତାନ ନିର୍ମାଣ, ସତ୍ୟ, ପରିବର୍ଦ୍ଧିତ ସତ୍ୟ, ଅପରିବର୍ଦ୍ଧିତ ସତ୍ୟ, ଉପଭୋଗ ଓ ଉପଯୋଗ, ପ୍ରଣାମର ମୂଲ୍ୟ ସଂପର୍କରେ ସୁନ୍ଦର ବ୍ୟାଖ୍ୟାନ କରିଥିଲେ । ପ୍ରଣାମ ଏକ ଅମୂଲ୍ୟ ସଂପତ୍ତି ଭାବେ ବର୍ଣ୍ଣନ ସହ ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଇଶ୍ବରଙ୍କୁ ଧନ୍ୟବାଦ ଦେବା ପାଇଁ ଶ୍ରୀ ପଣ୍ଡା କହିଥିଲେ । ସେହିପରି ଦ୍ୱିତୀୟ ଦିନ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରି ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ, ସମୟାନୁବର୍ତ୍ତିତା, ପୂର୍ବ ପ୍ରସ୍ତୁତି, ଆତ୍ମବିଶ୍ୱାସ, ଅହଂକାରଶୂନ୍ୟ, ସଂସ୍କୃତି, ଚରିତ୍ର ଗଠନ, ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟାର ଆବଶ୍ୟକତା ସହ ସଂକଳ୍ପରେ ରାଷ୍ଟ୍ରର ସେବା କରିବା, ରାଷ୍ଟ୍ରକୁ ନଷ୍ଟ କରିବା ନାହିଁ, ପ୍ରତିଦ୍ଵନ୍ଦୀ ନହୋଇ ପ୍ରତିଯୋଗୀ ହେବା ପାଇଁ ସେ ଆହ୍ୱନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଓ ଅଭିଭାବକ ମାନେ ଯୋଗଦେଇ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟିର ସର୍ବଶ୍ରୀ ତ୍ରୈଲୋକ୍ୟ ବେହେରା, ଅଶୋକ ବେହେରା, ସତ୍ୟନାରାୟଣ ତନ୍ତୀ, ହରେକୃଷ୍ଣ ପାଢୀ, ବିନୟ କୁମାର ସିଂ, ଉମେଶ ଶରଣ, ରବି ପରିଡା, ବସନ୍ତ ନାୟକ, ପରମାନନ୍ଦ ବଡାଇକ, ବାଳକୃଷ୍ଣ ପାଣିଗ୍ରାହୀ, ଶ୍ରୀଧର ବେହେରା, ଭଗବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.