jayashree

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା ସହର ମା’ ପାଟଖଣ୍ଡା ମାର୍କେଟର ମା’ ପାଟଖଣ୍ଡା ଲେଡିସ କର୍ଣ୍ଣରର ମାଲିକ । ଅଞ୍ଚଳର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା (ପିଣ୍ଟୁ)ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ସକାଳୁ ଯାଇଥିଲେ । ଖେଳିସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଣିକ ସଂଘ, ବିପଦର ବନ୍ଧୁ ସଂଗଠନ ଓ ମା’ ପାଟଖଣ୍ଡା ମାର୍କେଟର ସେ ଜଣେ ସକ୍ରିୟ ସଦସ୍ୟ ଓ ଉତ୍ତମ ସ୍ୱଭାବ, ମେଳାପୀ ତଥା ପରୋପକାରୀ ଯୁବକ ଭାବେ ବେଶ ପରିଚିତ ଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନାକରି ସ୍ଥାନୀୟ ବଣିକ ସଂଘ ଓ ମା ‘ପାଟଖଣ୍ଡା ମାର୍କେଟ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦକରି ସମ୍ମାନ ଜଣାଇଥିଲେ ।

Leave A Reply

Your email address will not be published.