ଅଗ୍ନିଶମ ବାହିନୀରେ ଗଢା ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

  • ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ
  • କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍‌
  • ସୃଷ୍ଟି ହେବ ୧୪୪ଟି ପଦବୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷ କରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ୱାରାନ୍ୱିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଞ୍ଜ ହେଡକ୍ୱାଟର ରହିବ । ପ୍ରତ୍ୟେକ ରେଞ୍ଜ ହେଡକ୍ୱାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ । ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ । ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା ଫାଷ୍ଟ ରେସ୍‌ପୋଣ୍ଡର ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ୱତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା । ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଂ ଫୋର୍ସ ଭାବରେ ବିକଶିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ ସଂଚଳନା କରିଥିଲେ । ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।

Leave A Reply

Your email address will not be published.