ଗରମ ଯୋଗୁଁ ଟିଟିଲାଗଡ ଅସ୍ତବ୍ୟସ୍ତ : ସହରରେ ତାପମାତ୍ରା ବୃଦ୍ଧି ସହ ହେଉଛି ଅଗ୍ନି ବର୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପାଗ ପରିବର୍ତ୍ତନ ହେବା ଯୋଗୁଁ ଗରମ ଯନ୍ତ୍ରଣାରୁ ସହରବାସୀ ମୁକ୍ତି ପାଇଥିବା ବେଳେ ପାଞ୍ଚ ଛଅ ଦିନ ହେବ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସକାଳ ୭ଟାରୁ ଆକାଶରୁ ନିଆଁ ଖସୁଛି । ସେମିତି ବି ଦିନ ତମାମ ଅସହ୍ୟ ଗରମ ହେଉଥିବା ବେଳେ ରାତିରେ ବି ତ୍ରାହି ନାହିଁ । ଯେଉଁ ଲୋକମାନେ ଏସି, କୁଲର୍ ବ୍ୟବହାର କରୁଛନ୍ତି ଘରୁ ବାହାରକୁ ଯିବା ପାଇଁ ଅରାଜି, ଅନ୍ୟ ପଟେ ଉପର ମହଲାରେ ରହୁଥିବା ଲୋକେ ଏସି ହେଉ କି କୁଲର୍‌ ଲଗେଇଲେ ବି ଯେଉଁ ଦୁଃଖ କୁ ସେହି ଦୁଃଖ, ତାହେଲେ ଗରିବ ଲୋକଙ୍କ ଅବସ୍ଥା କଣ ହେଉଥିବ ଏଥିରୁ ବିଚାର କରନ୍ତୁ । ସକାଳ ୯ଟାରେ ହିଁ ସହର ଶୁନ୍‌ଶାନ୍‌ ହୋଇଯାଉଛି । ଜରୁରୀ କାମ ନ ହେଲେ ଲୋକେ ଆଉ ଘରୁ ବାହାରକୁ ବାହାରୁ ନାହାଁନ୍ତି । ସେମିତି ସଂଧ୍ୟାରେ ବି ଗରମ ପବନ ବୋହୁଛି । ଗରମରୁ ରକ୍ଷା ପାଇବାକୁ ଲୋକେ ଏବେ ଭଗବାନ ଭରସାରେ ରହିଛନ୍ତି । ପ୍ରତିବର୍ଷ ଗରମ ଯୋଗୁଁ ଟିଟିଲାଗଡବାସୀ ହନ୍ତସନ୍ତ ହେଉଥିବା ବେଳେ କେବେ ତାପମାତ୍ର ବୃଦ୍ଧିକୁ ରୋକିହେବ ସେନେଇ ସରକାର, ପରିବେଶବିତମାନେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି । ରବିବାର ରାତିରେ ୩୩ କେଭି ତାର ଛିଣ୍ଡି ଯିବା ଯୋଗୁଁ ୧୨ଟାରୁ ଅଧିକ ସମୟ ପାଇଁ ବିଦ୍ୟୁତ୍‌ ସେବା ଠପ୍‌ ହୋଇ ଯାଇଥିଲା । କିଛି କିଛି ସମୟ ପାଇଁ ବିଦ୍ୟୁତ୍‌ କାଟ ହେଉଥିବାରୁ ତାହା ମଧ୍ୟ ଯମ ଯନ୍ତ୍ରଣା ଭଳି ଲାଗୁଥିବା ଲୋକେ କଥାବାର୍ତ୍ତା ହେଉଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସେତେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉ ନଥିବା ବେଳେ ହଠାତ୍‌ ହେଉଥିବା ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଖରାରୁ ରକ୍ଷା ପାଇବାକୁ କଣ କରିବାକୁ ହେବ ସେ ଦିଗରେ ସରକାର ଦୃଷ୍ଟି ଦେଇ ସମାଧାନର ରାସ୍ତା ବାହାର କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.