ସାହିତ୍ୟ ଏକାଡେମୀର ପୁସ୍ତକ ଆଲୋଚନା

  • ଗୌରହରି ଦାସଙ୍କ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ଏକ ସାର୍ଥକ ସୃଷ୍ଟି : କୃଷ୍ଣା ଭଟ୍ଟାଚାର୍ଯ୍ୟ

କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ । କୋଲକାତା ପ୍ରେକ୍ଷାଳୟରେ ଏକ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଆଲୋଚକ ଭାବେ ଯୋଗଦେଇ ବଙ୍ଗଳାରେ ଅନୁଦିତ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଚାରିଟି ପୁସ୍ତକ ସମ୍ପର୍କରେ ଚର୍ଚ୍ଚା କରିଥିଲେ ବିଶିଷ୍ଟ ଅନୁବାଦିକା ପ୍ରଫେସର କୃଷ୍ଣା ଭଟ୍ଟାଚାର୍ଯ୍ୟ ଏବଂ ଶ୍ୟାମଳ ଭଟ୍ଟାଚାର୍ଯ୍ୟ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତାର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ, ଡକ୍ଟର ଗୌରହରି ଦାସଙ୍କ ଏକାଡେମୀ ପୁରସ୍କାରପ୍ରାପ୍ତ ମୂଳ ଓଡ଼ିଆ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ର ବଙ୍ଗଳା ଅନୁବାଦ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ପୂର୍ବକ ପ୍ରଫେସର ଭଟ୍ଟାଚାର୍ଯ୍ୟ କହିଥିଲେ ଯେ, ସଂକଳନର ଗଳ୍ପଗୁଡ଼ିକରେ ସାମ୍ପ୍ରତିକ ସମାଜର ନିଛକ ପ୍ରତିଛବି ରହିଛି । ଏହା ଏକ ସାର୍ଥକ ସୃଷ୍ଟି । ମୁଖ୍ୟତଃ ନାରୀ ଚରିତ୍ରମାନଙ୍କର କଥା କହିବାବେଳେ ଲେଖକଙ୍କର ବର୍ଣ୍ଣନା ଖୁବ୍ ଜୀବନ୍ତ ଓ ମର୍ମସ୍ପର୍ଶୀ ହୋଇଛି । ଗଳ୍ପଗୁଡ଼ିକ ପଢ଼ିବା ବେଳେ ପାଠକଙ୍କୁ ଲାଗିବ ଯେମିତି କି ସେ ତାହାର ଆଖପାଖରେ ସେମାନଙ୍କୁ ଦେଖିଛି । ଡକ୍ଟର ଦାସଙ୍କ ଏକାଧିକ ଗଳ୍ପରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ହେତୁ କିଭଳି ନାରୀ ନିର୍ଯାତିତ ହେଉଛି ତାହାର କାହାଣୀ ଉପସ୍ଥାପିତ ହୋଇଛି । ଆଉ କେତେକ ଗଳ୍ପରେ ଅସାଧୁ ଏବଂ ଲୋଭୀ ମଣିଷର ନଗ୍ନ ଚରିତ୍ରକୁ ପଦାରେ ପକାଇଛନ୍ତି ଗାଳ୍ପିକ । ସଂକଳନର ଷୋହଳଟି ଗଳ୍ପ ସଂପର୍କରେ ମାର୍ମିକ ଭାବରେ ଆଲୋଚନା କରିଥିଲେ ପ୍ରଫେସର ଭଟ୍ଟାଚାର୍ଯ୍ୟ । ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଡକ୍ଟର ଦାସ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ତିନିଟି ବଙ୍ଗଳା ଅନୁବାଦ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ ବିଶିଷ୍ଟ ଅନୁବାଦକ ଶ୍ୟାମଳ ଭଟ୍ଟାଚାର୍ଯ୍ୟ । ସେଗୁଡ଼ିକ ହେଉଛି ବେଦରାହୀଙ୍କ ଡୋଗ୍ରୀ ଗଳ୍ପ ସଙ୍କଳନ ‘ଆୟ ରେ’, ଓମ୍‌ ଗୋସ୍ୱାମୀଙ୍କ ଡୋଗ୍ରୀ ସଙ୍କଳନ ‘ସୋନାର ପକ୍ଷୀ’ ଏବଂ ମୋହନ ଭଣ୍ଡାରୀଙ୍କ ପଞ୍ଜାବୀ ଗଳ୍ପ ସଙ୍କଳନ ‘କୁମାରୀ ହରିନୀର ଚୋଖ’ । ଶେଷରେ ଆଲୋଚକଦ୍ୱୟ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗଳା ଭାଷାର ବହୁ ଲେଖକ ଏବଂ ଅନୁବାଦକ ଯୋଗ ଦେଇଥିଲେ ।

Leave A Reply

Your email address will not be published.