ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ କଲଚରାଲ ଏକାଡେମୀର ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ୟ୍ୟାୟର ଉଦ୍ଘାଟକ ଭାବେ ବିଷ୍ଣୁ ଚରଣ ମହାନ୍ତି ଯୋଗ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ଶ୍ରୀ ମହାନ୍ତି ପାଠାଗାରର ପୁସ୍ତକମେଳା ଓ ସାହିତ୍ୟ ସଭା ଆୟୋଜନକରି ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ଏହାର ପ୍ରଚାର ପ୍ରସାର କିପରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ କାର୍ଯ୍ୟକ୍ରମ କଲଚରାଲ ଏକାଡେମୀ ଆନୁକୂଲ୍ୟରେ ସାହିତ୍ୟସଭା ଅନୁଷ୍ଠିତ ହୋଇଥିଲା । ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କାଶୀନାଥ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତି ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼ଃ ନଗେନ ଦାସ, ସମ୍ମାନିତ ବକ୍ତା ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଯୋଗଦେଇ ଆଲୋଚ୍ୟ ବିଷୟ ” ରାଉରକେଲା ପ୍ରଗତିଶୀଳ ସାହିତ୍ୟରେ ରୂପକାର ଲକ୍ଷ୍ମୀଧର ମହାପାତ୍ରଙ୍କ ଜୀବନାଦର୍ଶ ଓ ତାଙ୍କ ଦ୍ୱାରା ସୃଷ୍ଟି ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ଦାସ ତାଙ୍କ ବକ୍ତବ୍ୟରେ ଲକ୍ଷ୍ମୀଧର ଙ୍କ କଲଚରାଲ ଏକାଡେମୀ ସହ ସମ୍ପୃକ୍ତି ଓ ତାଙ୍କ ଦ୍ୱାରା ପ୍ରଗତିଶୀଳ ସାହିତ୍ୟର ବିକାଶ କିପରି ହୋଇଥିଲା, ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ସହ ବିତାଇଥିବା ମୁହୁର୍ତ୍ତ ଓ ତାଙ୍କର ରହଣି କାଳରେ ସାହିତ୍ୟ କିପରି ବିକଶିତ ହୋଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଲକ୍ଷ୍ମୀଧରଙ୍କ ସାହିତ୍ୟକୃତି ଅନବିଦ୍ୟ ସୃଷ୍ଟି ବୋଲି ମତ ରଖିବା ସହ ସାଧାରଣ ଜନତାଙ୍କ ସ୍ୱରକୁ କବିତା ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ କଲେ ତାହା ପାଠକଙ୍କ ମଧ୍ୟରେ ଆଦୃତ ହେବ ବୋଲି କହିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଏକାଡେମୀର ପ୍ରଗତିଶୀଳ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ସମ୍ପାଦକ ଶ୍ରୀ ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଡାକ୍ତର କୃପାସିନ୍ଧୁ ନାୟକଙ୍କ ସଭାପତିତ୍ୱ, କବି ବଳରାମ ରାଉଳ ଓ ମୀନକେତନ ପଶାୟତଙ୍କ ସଂଯୋଜନାରେ ସହରର ବହୁ କବି ତଥା ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶ୍ରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ, ଡାକ୍ତର ବସନ୍ତ କୁମାର ଦାସ, ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ , କରୁଣାକର ପାଟ୍ଟଶାଣୀ, ଟୁକଲା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।