ମଣ୍ଡି ଖୋଲିବା ପରେ ଏସଏଚ୍‌ଜି ବଦଳରେ ସୋସାଇଟିକୁ ହସ୍ତାନ୍ତର ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା’କୁ ସମ୍ମାନ ଗାଁକୁ ସମ୍ମାନ, ମିଶନ ଶକ୍ତି ପରି ସରକାର ନାରୀ ସଶକ୍ତି କରଣ ଏବଂ ମହିଳାଙ୍କ ବିକାଶ ପାଇଁ ବହୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ ଚିତ୍ରମାନ ବିପରିତ ଦେଖିବାକୁ ମିଳୁଛି । ବହୁ ଜାଗାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରା ଯାଉଥିବା ବେଳେ ପଦ୍ମପୁର ଉପଖଣ୍ଡରେ କିନ୍ତୁ ଅଥୋରାଇଜେସନ୍‌ ଦେବା ସହ ମଣ୍ଡି ଉଦ୍‌ଘାଟନ ପରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ନୋଟିସ୍‌ରେ ସୋସାଇଟିକୁ ମଣ୍ଡି ହସ୍ତାନ୍ତର କରାଯାଇଥିବାର ଅଭିଯୋଗ ହୋଇଛି ।

ଚଳିତ ବର୍ଷ ୨୦୨୦-୨୧ ଖରିଫ ଧାନ ଫସଲ କିଣାରେ ପୁର୍ବରୁ ହିଁ ବିଭିନ୍ନ ସମସ୍ୟାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଥିବା ସତ୍ୱେ ଗତ ତା.୦୯.୧୧.୨୦୨୦ରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକରେ ମଣ୍ଡି ଗୁଡିକ ଖୋଲିଥିଲା । ପଦ୍ମପୁର ଉପଖଣ୍ଡ ୬ ଟି ବ୍ଲକ ବିଜେପୁର, ସୋହେଲା, ଗାଇସିଲାଟ, ରାଜବେଡାସମ୍ବର, ଝାରବନ୍ଧ ଏବଂ ପାଇକମାଳରେ ମୋଟ ୭୦ଟି ମଣ୍ଡି ଏବଂ ମାର୍କେଟ ୟାର୍ଡ ଖୋଲା ଯାଇଥିଲା । ତାହା ମଧ୍ୟରୁ ପାଇକମାଲ ଅନ୍ତର୍ଗତ ଭେଙ୍ଗରାଜପୁର ମଣ୍ଡି ପାଇଁ ସ୍ଥାନୀୟ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ‘ଉତ୍କଳ ସୟଂ ସହାୟିକା ଗୋଷ୍ଠୀ’କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଟ୍ରେନିଂ ସହ ଉପକରଣ ଏବଂ ଆବଶ୍ୟକୀୟ ସରଞ୍ଜାମ ତଥା ଟୋକନ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ମଧ୍ୟ ଦିଆଯାଇଥିଲା । ଏହା ସହ ଗତ ନଭେମ୍ବର ୦୯ ତାରିଖରେ ପୂଜା ପାଠ ସହ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମଣ୍ଡି ମଧ୍ୟ ଉଦ୍ଦଘାଟନ କରିଥିଲେ ସ୍ୱୟଂ ସହାୟିକା ଗୋଷ୍ଠୀ । ହେଲେ ପରବର୍ତି ମୁହୁତ୍‌ର୍ତ୍ତରେ ବିନା କୌଣସି ନୋଟିସରେ ତାଙ୍କୁ ଦାୟିତ୍ୱରୁ ହଟାଇ ପଲସଦା ସୋସାଇଟିକୁ ଏହି ମଣ୍ଡି କାର୍ୟ୍ୟ ନ୍ୟସ୍‌ସ୍ତ କରାଯିବାକୁ ନେଇ ବର୍ତମାନ ପ୍ରଶ୍ନ ଉଠାଇଛନ୍ତି ଗୋଷ୍ଠୀର ସଦସ୍ୟାମାନେ । ଅନ୍ୟପଟେ ବର୍ତ୍ତମାନ ଖର୍ଚ୍ଚ କରିଥିବା ଟଙ୍କା ଏବଂ ଉପକରଣ ଗୁଡ଼ିକର କ’ଣ କରିବେ ବୋଲି ଉତ୍କଳ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଅଭିଯୋଗ କରୁଥିବା ବେଳେ ପଦ୍ମପୁର ଏସିଷ୍ଟାଣ୍ଡ ସିଭିଲ ସପ୍ଲାଏ ଅଫିସର କିନ୍ତୁ କହିଛନ୍ତି ଯେ, ପାଇକମାଲ ବ୍ଲକର ଜୟକିଶାନ କୃଷକ ସଂଗଠନର ଅଭିଯୋଗ କ୍ରମେ ଜିଲ୍ଲା ସ୍ତରରେ ଏହି ନିଷ୍ପତି ହୋଇଛି ଏବଂ ଆଗକୁ ଯାହା ନିର୍ଦ୍ଦେଶ ଆସିବ ସେହି ହିସାବରେ ମଣ୍ଡି ବ୍ୟବସ୍ଥାକୁ ସୁରୁଖୁରୁରେ ଚାଳନା କରାଯିବ । କିନ୍ତୁ ଜୟ କିଶାନ କୃଷକ ସଂଗଠନର ସଦସ୍ୟ ଏହି କଥାର ଖଣ୍ଡନ କରିବା ସହ ଟୋକନ ଆସିବାରେ ବିଳମ୍ବକୁ ନେଇ ଅଭିଯୋଗ ହୋଇଥିଲା ଏବଂ ସେମାନଙ୍କ ନାଁ ଆଳ କରି ପ୍ରଶାସନ ଅନ୍ୟ କୌଣସି ରାଜନୈତିକ କିମ୍ବା ଅନ୍ୟ କୌଣସି କାରଣରୁ ଏପରି କରିଥିବା କହିଛନ୍ତି । ସରକାର ତଥା ପ୍ରଶାସନଙ୍କ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅଭିଯୋଗ ପ୍ରତି କେତେ ତତ୍ପରତାର ସହିତ ସମାଧାନର ଦିଗ କାଢିବେ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.