pakka

ମନରେଗା ଯୋଜନାରେ ପାତର ଅନ୍ତର ଅଭିଯୋଗ : ପଛୁଆବର୍ଗର ଲୋକଙ୍କୁ ଟଙ୍କା ମିଳିବାରେ ବିଳମ୍ୱ

bbehera

ସିନାପାଲି, (ନିରାକାର ମେହେର) : ସରକାର ଶ୍ରମିକମାନଙ୍କୁ କାମ ଯୋଗାଇ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନାରେ ସମସ୍ତ ବର୍ଗର ଶ୍ରମିକ ସାମିଲ ହୋଇ କାମ କରୁଛନ୍ତି । ହେଲେ ଶ୍ରମିକ ପାଉଣା ଦେବା ସମୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଭରୁଆ ମୁଣ୍ଡା ଗ୍ରାମପଞ୍ଚାୟତରୁ । ଅଭିଯୋଗ ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତରେ ଶ୍ରମିକମାନଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ କରାଯାଇ ଅନେକ ବର୍ଗର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ହେଲେ ଶ୍ରମିକମାନଙ୍କୁ ପାଉଣା ଦେଲା ବେଳେ ପଛୁଆ ବର୍ଗର ଲୋକମାନଙ୍କ ବ୍ୟାଙ୍କ ଖାତାକୁ ୨/୩ ମାସ ପରେ ଟଙ୍କା ଆସୁଥିବା ଅଭିଯୋଗ ହେଉଛି । ଆଦିବାସୀ ଓ ଦଳିତ ବର୍ଗର ଲୋକମାନଙ୍କ ବ୍ୟାଙ୍କ ଖାତାକୁ ୧୦ରୁ ୧୫ ଦିନ ମଧ୍ୟରେ ଜମା ହେଉଥିବା ବେଳେ ପଛୁଆ ଓ ସାଧାରଣ ବର୍ଗର ଲୋକଙ୍କ ପାଇଁ ଏତେ ବିଳମ୍ବ କିପରି ହେଉଛି ତାହା ବୁଝାପଡୁନି । ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଗାଁ ସାଥୀ ଓ ଗ୍ରାମ ରୋଜଗାର ସେବକ (ଜିଆରଏସ)ମାନଙ୍କୁ ପଚାରିଲେ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଥିବା କହୁଛନ୍ତି । ବ୍ୟାଙ୍କକୁ ବାରମ୍ବାର ଗଲାପରେ ଖାତାରେ ଟଙ୍କା ନ ଥିବା ଜଣାପଡ଼ୁଛି ବୋଲି ଅଭିଯୋଗ ହେଉଛି । ବ୍ୟାଙ୍କ ଓ ସହାୟତା କେନ୍ଦ୍ରକୁ ବାରମ୍ବାର ଧାଇଁ ହଇରାଣ ହେବାକୁ ପଡୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟା ଯେ, ଭରୁଆମୁଣ୍ଡା ଅଞ୍ଚଳଟି ଦାଦନ ପ୍ରବଣ ଭାବରେ ଜଣାଶୁଣା । ଏହି ଅଞ୍ଚଳରୁ ପ୍ରତି ବର୍ଷ ଶହଶହ ଦାଦନ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତି । ଅଞ୍ଚଳର ଦଲାଲମାନେ ଏଠାରେ ସକ୍ରିୟ ରହି ବେଶ୍ ମୁନାଫା ଉଠାଇଥାନ୍ତି । ଘର ଘର ବୁଲି ଆଗତୁରା ଟଙ୍କା ଦେଇ ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ ଚାଲାଣ କରି ଚାଲିଛନ୍ତି । ଏହି ଅଞ୍ଚଳରେ ମନରେଗା ଯୋଜନା ଜରିଆରେ ଶ୍ରମ ଦିବସ ସୃଷ୍ଟି କରିବା ସହ ସଠିକ୍ ସମୟରେ ଶ୍ରମିକ ପାଉଣା ନ ମିଳିଲେ ଆଗକୁ ବହୁ ସଂଖ୍ୟାରେ ଦାଦନ ଚାଲାଣ ହେବେ ଏଥିରେ ସନ୍ଧେହ ନାହିଁ ବୋଲି ମତ ପ୍ରକାଶ ପାଇଛି । ପରିବାର ପ୍ରତିପୋଷଣ କରିବା ପାଇଁ କାମ କରୁଛୁ । ଟଙ୍କା ମିଲିଲେ କାମରେ ଲାଗିବ । ଆମର ନାମକୁ ଜମିବାଡ଼ି ରହିଛି । କୁଲି ମଜୁରୀ କାମ କରୁ । ହେଲେ ସରକାରୀ କାମରେ ମାସମାସ ଧରି ଟଙ୍କା ପାଇଁ ଅପେକ୍ଷା କଲେ କେମିତି ବଞ୍ଚିବୁ, କିପର ପରିବାର ଚଳାଇବୁ । ଆଉ କଣ କରିବୁ ଶେଷରେ ଦାଦନ ଖଟବାକୁ ଆନ୍ଧ୍ରପ୍ରଦେଶ ଚାଲିଯିବୁ ବୋଲି ଭରୁଆମୁଣ୍ଡା ପଞ୍ଚାୟତର ନିରଞ୍ଜନ ବାଗ, ସଦାନିଧି ବାଗ, ଛବି ବାଗ, ଟିକେଲାଲ ଛତ୍ରିଆ, ରୋହିତ ଛତ୍ରିଆ, ବିନ୍ତା ନାୟକ, ମଧୁ ନାଏକ, ଗୋଲେଖ ପଟେଲ, କୈଳାଶ ହଂସ ସମେତ ଅନେକ ପଛୁଆ ବର୍ଗର ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତ ବ୍ୟତୀତ ସିନାପାଲି ବ୍ଲକର ଅନେକ ପଞ୍ଚାୟତଗୁଡିକରେ ଏଭଳି ସମସ୍ୟା ରହିଛି । ତେବେ ଏହି ସମସ୍ୟାକୁ ନେଇ ସିନାପାଲି ବିଡିଓ ସଦାଶିବ ନାଏକଙ୍କୁ ପଚାରିବାରୁ ସେ କହିଲେ ଆଗରୁ ଏମିତି ହେଉଥିଲା ଏବେ ହେଉନାହିଁ । ଆମେ ସାଙ୍ଗେ ସାଙ୍ଗେ ଫଣ୍ଡ ଟ୍ରାଂସଫର୍ କରୁଛୁ । ଯଦିବି ହେଉଛି ଆମର କାର୍ଯ୍ୟ ବାହାରେ ଆମେ କିଛି କରିପାରିବୁ ନାହିଁ । ଏହି ସମସ୍ୟା ସବୁ ଯାଗାରେ ଲାଗି ରହୁଛି ବୋଲି ପ୍ରକାଶ କରିଥିଲେ । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

fourteen + 10 =