ସମବାୟ ବ୍ୟାଙ୍କରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଲୋଇସିଂହା ଶାଖାରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ବିଭିନ୍ନ ବାହାନା ଦେଖାଇ ଏହି ବ୍ୟାଙ୍କରେ ସାଧାରଣ ଜନତା ତଥା ଚାଷୀଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହେଉଛି । ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ଆସୁଥିବା ଲୋକଙ୍କୁ ଲିଙ୍କ ନ ଥିବା ଦର୍ଶାଇ ଘଣ୍ଟା ଘଣ୍ଟା ବ୍ୟାଙ୍କ ମଧ୍ୟରେ ଅପେକ୍ଷା କରିବାକୁ ବାଧ୍ୟ କରାଯାଉଛି । ରିଜର୍ଭ ବ୍ୟାଙ୍କର ଗାଇଡ ଲାଇନ ଅନୁଯାୟୀ ବ୍ୟାଙ୍କଗୁଡିକରେ ଲଞ୍ଚ ବିରତି ନ ଥିବା ବେଳେ ମଧ୍ୟାହ୍ନ ଭୋଜନ ବିରତି ସମୟରେ କର୍ମଚାରୀଙ୍କ ଦେଖା ମିଳୁନାହିଁ । ନିଜ ଜମା ଟଙ୍କା ଉଠାଇବା ପାଇଁ ଲୋକଙ୍କୁ ଦୁଇରୁ ତିନି ଦିନ ଧରି ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି । ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅସହଯୋଗ ମନୋବୃତିରେ ଅତିଷ୍ଠ ହୋଇ ସାଧାରଣ ଲୋକେ ଏହି ବ୍ୟାଙ୍କରୁ ମୁହଁ ଫେରାଇ ନେବାକୁ ବସିଲେଣି । ଏ ନେଇ ସ୍ଥାନୀୟ ସମବାୟ ବ୍ୟାଙ୍କ୍ ଶାଖା ପରିଚାଳକଙ୍କ ମତାମତ ଲୋଡାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ତଥା ସମବାୟ ବ୍ୟାଙ୍କ୍ ସଭାପତି ଏଥିପ୍ରତି ଦୃଷ୍ଟି ଦେଇ ବ୍ୟାଙ୍କର ହୃତ ଗୌରବ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

twelve + 16 =