ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ : ୭ ଦଫା ଦାବୀ ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୁଇ କାଉନସିଲରଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବୀରେ ୭ ଦଫା ଦାବୀ ନେଇ ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ । ସୂଚନା ପ୍ରକାରେ, ପ୍ରତ୍ୟେକ ମାସରେ ପରିଷଦ ବୈଠକ ଅନୁଷ୍ଠିତ ହେବା କଥା କିନ୍ତୁ ପୂର୍ବ ବୈଠକର ୧୦୮ ଦିନ ପରେ ଅର୍ଥାତ୍ ଗତ ତା.୧୮.୧୧.୨୦୨୨ରିଖରେ ସକାଳ ୮ଟା ୪୫ ମିନିଟ୍ ସମୟରେ ବୈଠକ ହୋଇଥିଲା । ବୈଠକର ୭ ଦିନ ପୂର୍ବରୁ ପରିଷଦମାନଙ୍କୁ ଜଣାଇବା କଥା, କିନ୍ତୁ ତାହା ହୋଇନଥିବା ଅଭିଯୋଗ ହୋଇଛି । ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ନିର୍ବାହୀ ଅଧିକାରୀ ବୈଠକ ଆବାହନ କରିବା କଥା, କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ହେଉଛି । ବାଲିଗୁଡ଼ା ଏନ୍ଏସିରେ ୧୩ଟି ୱାର୍ଡରୁ ୧୧ଟି ବିଜେଡ଼ି ଦଖଲ କରିବା ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କଂଗ୍ରେସ ଦୁଇଟି ୱାର୍ଡ ଦଖଲ କରିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠତା ନଥିବାରୁ ଜାଣିଶୁଣି କଂଗ୍ରେସର ଏହି ଦୁଇ କାଉନସିଲରଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏଥିସହିତ ବାଲିଗୁଡ଼ା ଏନଏସିରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ କୌଣସି ତଥ୍ୟ ମାଗିଲେ ମଧ୍ୟ ମିଳୁନଥିବାରୁ ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ମାଗିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୁଇ କାଉନସିଲର । ସେପଟେ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି ଏବଂ ଆମକୁ ସମାନ ଅଧିକାର ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଆମେ ଏଭଳି ଆମରଣ ଅନଶନରେ ବସିବୁ ବୋଲି କହିଛନ୍ତି ଦୁଇ କାଉନସିଲର ଅଜୟ କୁମାର ନାୟକ (ୱାର୍ଡ-୧) ଓ ଆଲୋକ କୁମାର ନାୟକ (ୱାର୍ଡ-୧୩) । ସେପଟେ ଘଟଣାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଂସଦ ପ୍ରାର୍ଥୀ ତଥା ଯୁବ ନେତା ମନୋଜ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × five =