ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ : ଅଭିଯୁକ୍ତ ଫେରାର

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶିଆଳିଆ ରାସ୍ତାରୁ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଜବତ କାର (ନଂ ଓଡି୦୨ସିବି-୪୨୪୨)ର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ । ତେବେ ପୋଲିସକୁ ଚକମା ଦେଖାଇ ବ୍ରାଉନସୁଗାର ବେପାରୀ ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତିି । ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ସୁରେନ୍ଦ୍ର ନାଥ ମୁର୍ମୁ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ତାରିକ ଅହମଦ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଏଏସ୍‌ପି ମୁର୍ମୁ ସୂଚନା ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ ଖୋର୍ଦ୍ଧା ଆଦର୍ଶ ପୋଲିସ କେସ ନଂ ୫୨୧/୨୨ରେ ବ୍ରାଉନସୁଗାର କାରବାର ସମ୍ପୃକ୍ତି ନେଇ ସାମନ୍ତରାପୁର ଅଞ୍ଚଳର କାନି ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତୀ ବେହେରା, କୁଳମଣି ବେହେରା ପ୍ରମୁଖଙ୍କୁ ଗିରଫ କରିଥିଲା । କାନି ବେହେରାଙ୍କ ପୁଅ ଶରତ ଓରଫ ବାୟା ଫେରାର ହୋଇଯାଇଥିଲେ । ସୋମବାର ଅପରାହ୍ନରେ ଶରତ ବ୍ରାଉନସୁଗାର ଧରି ଏକ କାରରେ ଭୁବନେଶ୍ୱର ଯାଉଥିବା ଖବରପାଇ ପୋଲିସ ରାଜପଥର ବିଭିନ୍ନ ଛକରେ ଜଗିଥିଲା । ତେବେ ପୋଲିସ ଆଖିରେ ଧୂଳି ଦେଇ ଶରତ କାରକୁ ଶିଆଳିଆ ରାସ୍ତାରେ ଛାଡି ଚମ୍ପଟ ମାରିଥିଲେ । ପୋଲିସ କାର ଯାଞ୍ଚ ବେଳେ ଉପରୋକ୍ତ ସାମଗ୍ରୀ ଜବତ କରିଛି ।

Leave A Reply

Your email address will not be published.

sixteen − 15 =