
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗାନ୍ଧୀ ଜୟନ୍ତୀ ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ସୋନପୁର ମୁଖ୍ୟ ଶାଖା ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁସ୍ଥ ରହିଲେ ଆମେ ଓ ଆମ ସମାଜ ସୁସ୍ଥ ରହିବ । ସମାଜ, ସହର ତଥା ଦେଶକୁ ସୁସ୍ଥ ରଖିବା ମୋଦିଜୀଙ୍କ ବିକଶିତ ଭାରତ, ସ୍ୱଚ୍ଛ ଭାରତ ଲକ୍ଷ ନେଇ ଓ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି କର୍ପୋରେଟ ଅଫିସ୍ର ନିର୍ଦେଶ କ୍ରମେ ସୋନପୁର ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ପଲିଥିନ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲ୍ଡିଏମ୍ ଓ ମୁଖ୍ୟ ଶାଖା ପରିଚାଳକ ଲକ୍ଷ୍ମଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ଷ୍ଟାଡିୟମ ପରିସର ଓ ଚାରିପାଖ ଅଞ୍ଚଳକୁ ସଫା କରିଥିଲେ । ପ୍ଲାଷ୍ଟିକ ବର୍ଜ୍ୟ, ଶୁଖିଲା ପତ୍ର ଓ ଆବର୍ଜନା ସଂଗ୍ରହ କରି ଷ୍ଟାଡିୟମକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାଖା ପରିଚାଳକ କହିଥିଲେ, “ସ୍ୱଚ୍ଛତା ହିଁ ସେବା । ସ୍ୱଚ୍ଛ ଭାରତ ପାଇଁ ଏସବିଆଇ ସବୁବେଳେ ସାମାଜିକ ଦାୟିତ୍ୱ ନିର୍ବାହ କରିଆସୁଛି । ପରିଷ୍କାର ପରିଚ୍ଛନ୍ନ ରହିଲେ ହିଁ ସୁସ୍ଥ ସମାଜ ଗଠନ ହୋଇପାରିବ । ଏହି ଅଭିଯାନରେ ସ୍ଥାନୀୟ ଯୁବକ ଓ କ୍ରୀଡ଼ାପ୍ରେମୀମାନେ ମଧ୍ୟ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସଚେତନ କରାଯାଇଥିଲା ।