ଘୁଷୁରାମୁଣ୍ଡା ଗ୍ରାମରେ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ଚାରି ଦଶନ୍ଧି ଧରି କୋଶଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା, ପ୍ରାଥମିକ ସ୍ତରରେ ପିଲାଙ୍କୁ କୋଶଲି ଭାଷାରେ ଶିକ୍ଷାଦାନ, କୋଶଲି ଭାଷା ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ କୌଣସି ଦାବୀକୁ ମଧ୍ୟ ଗ୍ରହଣ କରି ନାହାନ୍ତି । ପଶ୍ଚିମ ଓଡିଶାର ପ୍ରାୟ ଦୁଇକୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ଏହି କୋଶଲି ଭାଷା ସର୍ବ ପ୍ରାଚୀନ ଅଟେ । ଏହାର ଅସ୍ମିତା ପ୍ରତି ଚେତନଶୀଳ ହୋଇ ଏ ସମ୍ପର୍କରେ ଗାଁ ଲୋକଙ୍କୁ ସଚେତନ କରିବା ପାଇଁ ପଶ୍ଚିମ ଓଡିଶାର ଛାମୁଆ ସଂଗଠନ କୋଶଲି ଭାଷା ସୁରକ୍ଷା ସମିତି, ଟିଟିଲାଗଡ ୨୦୧୪ ମସିହାଠାରୁ ଗାଁକୁ ଚାଲ ଅଭିଯାନ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ସମିତିର ସଭାପତି ତଥା ମୁରିବାହାଲ ଡ଼ିଗ୍ରୀ କଲେଜର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତଙ୍କ ସଭାପତିତ୍ୱରେ ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ଉପଦେଷ୍ଟା ନୀଳମଣି ସାହୁ, ଭାଷାବିତ ଡ. ନାରାୟଣ ମିଶ୍ର, ବରିଷ୍ଠ ସଦସ୍ୟ ଜ୍ୟୋତିପ୍ରକାଶ ଗଡତ୍ୟା ଏବଂ କୋଷାଧ୍ୟକ୍ଷ ଚିତ୍ତରଂଜନ ଚାନ୍ଦ, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ଆଦିବାସୀ ନେତା ସୁରେଶ ଭୋଇ, ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଭୋଦେବ ଭୋଇ, ଭାନୁମତି ଭୋଇ, ଦିଲ୍ଲୀପ ପୃଷ୍ଟି, ଓମ୍‌କାର ନାଥ ଯାନୀ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ମଂଚାସୀନ ହୋଇ ଗାଁ ଗାଁରେ କୋଶଲି ଭାଷାର ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଚତୁର୍ଥ ସଂଖ୍ୟା ବାର୍ଷିକୀ ସାହିତ୍ୟ ପତ୍ରିକା “ଝାଁପି“ ଲୋକାର୍ପିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଲୋକ କଣ୍ଠଶିଳ୍ପୀ ସୁଦର୍ଶନ ଦୀପଙ୍କୁ ସମ୍ମାନିତ କରାଯାଇଥିଲା । ଲିଲୁ ମୋହନ ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଗ୍ରାମର ଚନ୍ଦ୍ରମଣି ଭୋଇ, ନୁରା ଭୋଇ, ନିରଂଜନ ଜାନି, ଲଂକେଶ ଭୋଇ, ମଧୁସୂଦନ କୁଅଁର, ଯୁଗଲାଲ ଭୋଇ, ରଘୁନାଥ ଦାସ, କୈଲାସ ସାହୁ, ଶୁଭମ ଦାସ, କୁବେର ମହାନନ୍ଦ, ମୋହନ କୁଅଁର, ଦେବନ୍ତି ଭୋଇଙ୍କ ସମେତ ମୁରିବାହାଲ ଡିଗ୍ରୀ କଲେଜର ଶତାଧିକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ କୋଶଲ ନାରା ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଆଗାମୀ ଦିନରେ ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଗ୍ରାମଠାରେ ଏହି ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

one × 1 =