pakka

ଅବ୍ୟବସ୍ଥା ଘେରରେ ସିନାପାଲି ଅବକାରୀ କାର୍ଯ୍ୟାଳୟ : ୩୫ ବର୍ଷ ହେବ ଭଡାଘରେ ଚାଲିଛି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଅବକାରୀ କାର୍ଯ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ନିଜସ୍ଵ କୋଠା ନ ଥିବାରୁ ଦୀର୍ଘ ୩୫ ବର୍ଷ ହେବ ଭଡ଼ାରେ ଚାଲିଛି । ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଓ ରାଜନୈତିକ ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସିନାପାଲିର ଅବକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହେଉଛି । ଏଠାରେ ସୂଚନଯୋଗ୍ୟ ଯେ, ଅବକାରୀ କାର୍ଯ୍ୟାଳୟ ସ୍ଥାପନ ଦୀର୍ଘ ୩୫ ବର୍ଷ ବିତିଯାଇଛି । ହେଲେ କୋଠା ନିର୍ମାଣ ହେଉ ନଥିବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଖଡ଼ିଆଳ ସହରରେ ରହୁଛନ୍ତି । କେବେ କାଁ ଭାଁ ଏଠାକୁ ଆସି ଫେରି ଯାଆନ୍ତି । ଯାହାଫଳରେ ବର୍ଷକର ଅଧିକାଂଶ ସମୟ ଅଫିସରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ତେବେ ସୁଦୂର ଖଡ଼ିଆଳଠାରେ କର୍ମଚାରୀମାନେ ରହି କିଭଳି ଭାବରେ ସିନାପାଲି ଅଞ୍ଚଳର ନିଶାକାରବାର ଉପରେ ଅଙ୍କୁଶ ଲଗାଉଥିବେ ତାହା ସ୍ପଷ୍ଟ ଜଣାପଡେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ରେ ଅବସ୍ଥିତ । ଏଠାରେ ଛତିଶଗଡ଼ ଅଞ୍ଚଳକୁ ଚୋରାରେ ନିଶାଦ୍ରବ୍ୟ ସମେତ ଅନେକ ପ୍ରକାର ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଛି । କିନ୍ତୁ ଅବକାରୀ ବିଭାଗର ଦୂରଦୁଷ୍ଟିର ଅଭାବ ଯୋଗୁଁ ବେପାରୀମାନେ ମାଲେ ମାଲ ହେଉଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ସିନାପାଲି ବ୍ଲକର ସିନାପାଲି, ହାତୀବନ୍ଧା, ଗଣ୍ଡାବାହାଲି, ଟିମନପୁର, ଗୋର୍ଲା, କେନ୍ଦୁମୁଣ୍ଡା, ଧିଙ୍ଗିଆମୁଣ୍ଡାଠାରେ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ଥିବା ବେଳେ ସିନାପାଲିଠାରେ ଗୋଟିଏ ମାତ୍ର ବିଦେଶୀ ମଦ ଦୋକାନ ରହିଛି । ହେଲେ ଉକ୍ତ ଲାଇସେନ୍ସ ପ୍ରାପ୍ତ ଦୋକାନରୁ ମଦ ନେଇ ବିଭିନ୍ନ ଗାଁ ଗଣ୍ଡାଗୁଡିକରେ ଛତୁ ଫୁଟିଲା ଭଳି ମଦ କୋଠା ଗଢି ଉଠିଛି । ବେଆଇନ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଚଳାଉ ଥିବା ବେଳେ ଅବକାରୀ ବିଭାଗ ମଦ ବେପାରୀମାନଙ୍କୁ ପରୋକ୍ଷ ଭାବରେ ସାହାଯ୍ୟ କରୁଥିବାରୁ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅବକାରୀ ବିଭାଗର କର୍ମଚାରୀମାନେ ମଦ ଭାଟି ମାଲିକମାନଙ୍କ ସହିତ ସଲା ସୁତୁରା କରି ବେଶ ମୁନାଫା ଉଠାଇ ଚାଲିଥିବା ବେଳେ ନିରୀହ ଜନସାଧାରଣମାନେ ସଚେତନତାର ଅଭାବ ଯୋଗୁଁ ସର୍ବସ୍ୱାନ୍ତ ହେଉଛନ୍ତି । ଅବକାରୀ ଅଧିକାରୀମାନେ ଲାଇସେନ୍ସ ପ୍ରାପ୍ତ ମଦ ଭାଟିଗୁଡିକୁ ପ୍ରତିମାସରେ ଆସି କିଭଳି ପରିବେଶରେ ମଦ ତିଆରି ହେଉଛି ଏପରିକି ମଦର ମାନ କେତେ, ନିଶାଯୁକ୍ତ କେତେ ପରିମାଣ ରହିବା କଥା ତାହା ପରଖୁ ନଥିବାରୁ ମଦର ମାନ କୋହଳ କରାଯାଇ ବିକ୍ରି କରାଯାଉଛି, ଯାହାଫଳରେ ସାଧାରଣ ଲୋକେ ମଦ୍ୟପାନ କରି ଖର୍ଚ୍ଚାନ୍ତ ହେଉଥିବା ଅଂଚଳରେ ବେଶ ଚର୍ଚ୍ଚା ହେଉଛି ।ଯେତେବେଳେ ଅଭିଯୋଗ ହୁଏ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କୁ ମଦର ପରିମାଣ କମ ଦର୍ଶାଇ ମାମଲା ରୁଜୁ କରାଯାଉଛି, ଯାହାଫଳରେ ଗିରଫ ହୋଇଥିବା ବ୍ୟକ୍ତି ତୁରନ୍ତ ଜାମିନରେ ଫେରିଆସି ପୁଣିଥରେ ମଦବେପାର କରୁଥିବା ଅଭିଯୋଗ ହେଉଛି । ସିନାପାଲିରୁ ପ୍ରତିଦିନ ଛତିଶଗଡ଼ ଅଂଚଳକୁ ଚୋରାରେ ବିଦେଶୀ ମଦ ମୋଟର ସାଇକେଲ ଓ ଚାରିଚକିଆ ଗାଡ଼ିରେ ଚାଲାଣ ହେଉଛି । ହେଲେ ସବୁ ଜାଣି ଶୁଣି ବିଭାଗୀୟ ଅଧିକାରୀମାନେ ଚୁପ୍ ହୋଇ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି । ଅବକାରୀ ଓ ମଦବେପାରୀମାନଙ୍କ ସଲାସୁତୁରା ଯୋଗୁଁ ଅନେକ ରାଜସ୍ବ ହାନୀ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ଛତିଶଗଡ଼ ଅଞ୍ଚଳରେ ମଦର ଦାମ ଅଧିକ ଥିବା ବେଳେ ଏଠାରେ ୧୦୦ରୁ ୧୨୦ ଟଙ୍କା କମ୍ ରହୁଛି । ଏଣୁ ଏଠାରୁ ନେଇ ସେଠାରେ ଅଧିକ ଦାମରେ ବିକ୍ରୀ କରି ବେପାରୀମାନେ ମାଲେ ମାଲ ହେଉଛନ୍ତି ବୋଲି ମତ ପ୍ରମାଶ ପାଉଛି । କିନ୍ତୁ ପ୍ରଶାସନ ଜାଣି ଶୁଣି ଚୁପ୍ ବସିଥିବାର ଅସଲି ଉଦ୍ଦେଶ୍ୟ କଣ ବୋଲି ମତ ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଲାଇସେନ୍ସ ପ୍ରାପ୍ତ ମଦ ଭାଟିଗୁଡିକ ବର୍ଷକୁ ଥରେ ନବୀକରଣ କରାଯାଏ । ହେଲେ ଏଥିପାଇଁ ସ୍ଥାନୀୟ ଜନସାଧାରଣକୁ ପ୍ରଥମେ ନୋଟିସ ମାଧ୍ୟମରେ ଜଣାଇ ଦିନ ଧାର୍ଯ୍ୟ କରିବା ନିୟମ ରହିଛି ଏବଂ ଗ୍ରାମସଭାରେ ସ୍ଥାନୀୟ ଜନସାଧାରଣଙ୍କ ମତାମତ ଲୋଡ଼ି ନିଷ୍ପତ୍ତି ନେବା କଥା ହେଲେ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗ୍ରାମସଭା ଡକାଯାଇ ନାହିଁ କିମ୍ବା ସ୍ଥାନୀୟ ଜନସାଧାରଣଙ୍କୁ ନୋଟିସ ମଧ୍ୟ ଦିଆଯାଉନାହିଁ । କେବଳ ଚିଠି ଧରି କେତେକ ଜନପ୍ରତିନିଧିମାନଙ୍କ ଦସ୍ତଖତ ନେଇ ସବୁକାମ ଶେଷ କରିଦେଇଥାନ୍ତି । ଫଳରେ ସ୍ଥାନୀୟ ଜନସାଧାରଣ ଜାଣିପାରୁ ନାହାନ୍ତି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ସିନାପାଲି ଅବକାରୀ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ସକାଶେ ଯୁଗେନପଦରଠାରେ ଜାଗା ଚିହ୍ନଟ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଦୀର୍ଘ ବର୍ଷ ହେବ ଭଡାରେ ଚାଲିଛି । ଭଡ଼ା ଦେଇ ରାଜସ୍ୱ ହରାଉଥିବା ନେଇ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅବକାରୀ କାର୍ଯ୍ୟାଳୟ କୋଉଠାରେ ରହିଛି ତାହା ଜନସାଧାରଣଙ୍କୁ ଅଦୃଶ୍ୟ ହୋଇ ରହିଯାଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

20 − 14 =