କରୋନା ମହାମାରୀକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ ଭାକସିନ୍‌ : ଡବ୍ଲ୍ୟୁଏଚ୍‌ଓ

ଜେନେଭା : କରୋନା ପାଇଁ ପ୍ରଭାବୀ ସଞ୍ଜିବନୀ ଟୀକା ଆସିବା ପରେ ଯେ କରୋନା ଚିତ୍ର ବଦଳିଯିବ ଏବଂ ସ୍ଥିତି ସ୍ୱାଭାବିକ ହୋଇଯିବ, ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢେ଼ଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟୀକା ଯଥେଷ୍ଟ ହେବନାହିଁ । କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ କେତେକ ଟୀକା ଅତ୍ୟନ୍ତ ପ୍ରଭାବୀ ହୋଇଥିବା ନେଇ ଏବେ ଦାବୀ ଜୋର ଧରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସୋମବାର ଏଭଳି ଚେତାବନୀ ଦେଇଛି ।

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କେହିଛନ୍ତି, କୋଭିଡ-୧୯ ସଂକ୍ରମଣର ମୁକାବିଲା ପାଇଁ ଏବେ ଯେଉଁସବୁ ସାଧନ କାମ କରୁଛି, ସେଥିରେ ଟୀକା କେବଳ ଏକ ଅଂଶ ହେବ । ଟୀକା ଏକାକୀ ମହାମାରୀକୁ ମାତ୍‌ ଦେବାକୁ ସମର୍ଥ ହେବନାହିଁ । ଟୀକା ଆସିବା ପରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରିବା ଲାଗି କରୋନା ଭୂତାଣୁ ପାଇଁ ସୁଯୋଗ ରହିବ । ତେଣୁ ବର୍ତ୍ତମାନ ଭଳି ନମୁନା ପରୀକ୍ଷଣ ଜାରି ରହିବ । ସଙ୍ଗରୋଧ, କଣ୍ଟ୍ରାକ୍ଟ ଟ୍ରେସିଙ୍ଗ୍‌ ମଧ୍ୟ ଅନୁରୂପ ଚାଲିବ । କରୋନାଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ବିଶ୍ୱବାସୀ ଏବେ ଯେଉଁଭଳି ସଜାଗ ରହୁଛନ୍ତି, ତାହା ଜାରି ରଖିବା ହିଁ ସାର ହେବ ।

ସେ ଆହୁରି କହିଛନ୍ତି, ପ୍ରଭାବୀ କରୋନା ଟୀକା ଆସିବା ପରେ ଏହାର ଯୋଗାଣ ସୀମିତ କରାଯିବ । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ଅନ୍ୟ ଦୁରାରୋଗରେ ପୀଡିତ ଲୋକଙ୍କୁ ଏହା ମିଳିବ । ଏହାଦ୍ୱାରା କରୋନା ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ପାରିବ । ଅନ୍ୟମାନଙ୍କୁ ଟୀକା ମିଳିବାରେ ଆହୁରି ଅନେକ ସମୟ ଲାଗିଯିବ । ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ କି ଫାଇଜର ଓ ମଡେର୍ଣ୍ଣା ଭଳି କେତେକ ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକା ୯୦%ରୁ ଅଧିକ ପ୍ରଭାବୀ ବୋଲି ଦାବୀ ଉଠିଛି । ନିକଟରେ ଆମେରିକାର ଫାର୍ମା କମ୍ପାନୀ ଫାଇଜର ଘୋଷଣା କରିଥିଲା ଯେ, ଏହା ଦ୍ୱାରା ପ୍ରସ୍ତୁତ ଟୀକା କରୋନା ଉପରେ ୯୦% ପ୍ରଭାବୀ । ଏବେ ମଡେର୍ଣ୍ଣା ଟୀକା ୯୪.୫% ପ୍ରଭାବୀ ବୋଲି ସଂପୃକ୍ତ କମ୍ପାନୀ ସୋମବାର ଘୋଷଣା କରିଛି । ଏହା ପୂର୍ବରୁ ସ୍ପୁଟ୍‌ନିକ୍‌-୫ କରୋନା ଟୀକା ୯୨% ସଫଳ ହୋଇଥିବା ନେଇ ରୁଷ ଘୋଷଣା କରିଥିଲା ।

ଆମେରିକାରେ ଏବେ ଫାଇଜର ଏବଂ ମଡେର୍ଣ୍ଣା ଟୀକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଶେଷ ସୋପାନରେ ପହଂଚିଛି । ସମ୍ଭବତଃ ଡିସେମ୍ବର ଶେଷ ସୁଦ୍ଧା ଫାଇଜର ଟୀକା ବ୍ୟବହାର ପାଇଁ ଉପଲବ୍ଧ ହେବ । ଏମ୍‌ଆର୍‌ଏନ୍‌ଏ ଟେକ୍ନୋଲୋଜିରେ ତିଆରି ଏହି ଟୀକାକୁ ହାସଲ କରିବା ଏବଂ ଏହାକୁ ସୁରକ୍ଷିତ ଭାବେ ପରିବହନ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହେବାକୁ ଥିବାରୁ କେବଳ ଧନୀ ରାଷ୍ଟ୍ରଗୁଡିକ ଏହାକୁ ପାଇବାକୁ ସମର୍ଥ ହୋଇପାରନ୍ତି । ଟୀକା ୫୦% ପ୍ରଭାବୀ, ହେଲେ ଏହାକୁ କରୋନା ସଂକ୍ରମଣ ପ୍ରତିକାର ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍‌ଟ୍ରେସନ(ଏଫ୍‌ଡିଏ) ସ୍ପଷ୍ଟ କରିସାରିଛି । ତେଣୁ ମଡେର୍ଣ୍ଣା ଏବଂ ଫାଇଜର ଟୀକା ଏଫ୍‌ଡିଏ ଅନୁମୋଦନ ପାଇଁ ଶୀଘ୍ର ବଜାରକୁ ଆସିବ ବୋଲି ଆଶା କରାଯାଉଛି ।

ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ସ ଅଫ୍‌ ହେଲ୍‌ଥର ନିର୍ଦ୍ଦେଶକ ଡ. ଆନ୍‌ଥୋନି ଏସ୍‌. ଫସି ଏକ ସାକ୍ଷାତକାରରେ କହିଛନ୍ତି, କୌଣସି କରୋନା ଟୀକା ୭୫% ପ୍ରଭାବୀ ହେଲେ ଏଥିରେ ମୁଁ ସନ୍ତୁଷ୍ଟ ହେବି ବୋଲି କହି ଆସୁଥିଲି । କିନ୍ତୁ ଟୀକା ୯୦% ବା ୯୫% ପ୍ରଭାବୀ ସାବ୍ୟସ୍ତ ହେଉଥିବା ଜାଣିବା ପରେ ମୁଁ ବେଶ୍‌ ଖୁସି । ମଡେର୍ଣ୍ଣା ଟୀକା ୯୪.୫% ସଫଳ ହେବା ନିଶ୍ଚିତ ଖୁସିର ବିଷୟ । ଅନ୍ୟପକ୍ଷରେ ଟୀକାଗୁଡିକ ଉଭୟ ସ୍ୱଳ୍ପ ବୟସ୍କ ଏବଂ ବୃଦ୍ଧ ଲୋକଙ୍କଠାରେ ସୁରକ୍ଷିତ ହେଉଛି କି ନାହିଁ, ତାହା ଯାଂଚ କରାଯିବା ଜରୁରୀ ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।

Leave A Reply

Your email address will not be published.