
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମୁଖ୍ୟ ଭାବରେ କାର୍ଯ୍ୟକାଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
- ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କର୍ମଶାଳାରେ ଉଦଘାଟନୀ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର
ନୂଆଦିଲ୍ଲୀ, (ପିଆଇବି) : ନୀତି ଆୟୋଗ ପକ୍ଷରୁ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ “ ନେତୃତ୍ୱ ଏକ ମିଶନ” ଶୀର୍ଷକ ପ୍ରଥମ ଜାତୀୟ କର୍ମଶାଳା ଆୟୋଜନ କରାଯାଇଛି । ସରକାର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଥିରେ ଶିକ୍ଷା ଓ ଅଭିଜ୍ଞତା ଆହରଣ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ୨୦୦୧ ଅକ୍ଟୋବର ମାସରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ୨୦୧୪ ମେ’ ମାସରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେବେଠାରୁ ସେ ରାଜ୍ୟ ତଥା କେନ୍ଦ୍ର ସ୍ତରରେ ନିରନ୍ତର ଭାବେ ସରକାରଙ୍କ ନେତୃତ୍ୱ ନେଇଆସୁଛନ୍ତି । ଏହି ସମୟ ମଧ୍ୟରେ, ସେ ସାର୍ବଜନୀନ ପଦବୀକୁ ଏକ ସେବା ମିଶନ ଭାବରେ ଗ୍ରହଣ କରିଆସିଛନ୍ତି। ନିଜକୁ ‘ପ୍ରଧାନ ସେବକ’ ଭାବରେ ବର୍ଣ୍ଣନା କରି ସେ ସରକାରଙ୍କ ପ୍ରତ୍ୟେକ ବ୍ୟବସ୍ଥାରେ ନାଗରିକଙ୍କୁ କେନ୍ଦ୍ରରେ ରଖି ଆସିଛନ୍ତି। ଏହା ସହିତ, ‘ଅନ୍ତ୍ୟୋଦୟ’, ‘ଜନ ଭାଗୀଦାରୀ’ ଏବଂ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଭଳି ନୀତିଗୁଡ଼ିକ ଦୁଇଟି ସ୍ତରରେ ଶାସନ ବ୍ୟବସ୍ଥାର ଦିଗ ନିର୍ଦ୍ଧାରଣ କରିବାରେ ମାର୍ଗଦର୍ଶକ ସାଜିଛି ।
ପାଞ୍ଚଟି ଜାତୀୟ କର୍ମଶାଳାର ଏକ ଶୃଙ୍ଖଳା ମଧ୍ୟରୁ ଏହି କର୍ମଶାଳା ପ୍ରଥମ। ଏହି ଶୃଙ୍ଖଳା ସମୟରେ ହୋଇଥିବା ବିଚାରବିମର୍ଶ ଏବଂ ପ୍ରତ୍ୟକ୍ଷ ଅଭିଜ୍ଞତାକୁ ପ୍ରଶାସନିକ ସେବା ତାଲିମ ପ୍ରତିଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟ ପାଇଁ ମାମଲା ଅଧ୍ୟୟନ ଏବଂ ଶିକ୍ଷଣ ସାମଗ୍ରୀ ଭାବରେ ବିକଶିତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ମଧ୍ୟରେ, ବିଗତ ପଚିଶ ବର୍ଷର ଶିକ୍ଷାକୁ ଗବେଷଣା ଏବଂ ଶିକ୍ଷାଦାନ ସାମଗ୍ରୀ ମାଧ୍ୟମରେ ଆଗକୁ ମଧ୍ୟ ନିଆଯିବ ଯାହା ବିକଶିତ ଭାରତ ୨୦୪୭ ପର୍ଯ୍ୟନ୍ତ ବର୍ଷଗୁଡ଼ିକରେ ନୀତି ପ୍ରଣୟନ ଓ ପ୍ରଶାସନ ପାଇଁ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବା ଲାଗି ସହାୟକ ହେବ ।
ଏହି କର୍ମଶାଳାରେ ୯୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୨୫୦ ଜଣ ପ୍ରତ୍ୟକ୍ଷ ବିଚାରବିମର୍ଶରେ ଭାଗ ନେଇଥିଲେ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଚିବ ଏବଂ ବରିଷ୍ଠ ଅଧିକାରୀ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ସମ୍ପ୍ରଦାୟର ଅଂଶୀଦାର ଏବଂ ପ୍ରମୁଖ କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀମାନେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମ ସହିତ ଦେଶର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନରେ ସିଧା ପ୍ରସାରିତ ହୋଇଥିଲା, ଯାହା ଦେଶର ବିଭିନ୍ନ ସ୍ଥାନର ଅଧିକାରୀମାନଙ୍କୁ ଅଂଶଗ୍ରହଣ କରିବାକୁ ସକ୍ଷମ କରିଥିଲା।
କର୍ମଶାଳାଟି ଜାତୀୟ ସଙ୍ଗୀତ ଏବଂ ରାଷ୍ଟ୍ରଗୀତ ଗାନ ସହିତ ଆରମ୍ଭ ହୋଇଥିଲା। ଏହା ପରେ, ନୀତି ଆୟୋଗର ସିଇଓ ଅନୁରାଗ ଜୈନ ସ୍ୱାଗତ ଭାଷଣ ଦେଇଥିଲେ। ସେ କହିଥିଲେ ଯେ ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ନେତୃତ୍ୱରୁ ପ୍ରାପ୍ତ ହୋଇଥିବା ଶିକ୍ଷା ଓ ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବା ଏବଂ ଭବିଷ୍ୟତ ପାଇଁ ସେଗୁଡ଼ିକୁ ସାଂଗଠନିକ ଜ୍ଞାନ ରୂପେ ବିକଶିତ କରିବା।
ନେତୃତ୍ୱର ଏହି ଯାତ୍ରାରୁ ସେ ଚାରୋଟି ପ୍ରମୁଖ ଶିକ୍ଷା ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଥମତଃ, ପଦାନୁକ୍ରମରେ ବ୍ୟକ୍ତିଗତ ପଦବୀ ଅପେକ୍ଷା ଉଦ୍ଦେଶ୍ୟକୁ ପ୍ରାଥମିକତା ଦିଆଯିବା ଉଚିତ, ଯାହା ଦ୍ଵାରା ବ୍ୟକ୍ତିଗତ ନେତୃତ୍ୱ ଅପେକ୍ଷା ଏକ ସହଭାଗୀ ସାମୂହିକ ଲକ୍ଷ୍ୟ ଉପରେ ଧ୍ୟାନ ଦିଆଯିବ। ଦ୍ୱିତୀୟତଃ, ଆଦେଶ ଅପେକ୍ଷା ସେବା ମନୋଭାବକୁ ଗ୍ରହଣ କରାଯିବା ଉଚିତ, ଏବଂ ଶାସନ ଧାଡ଼ିର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ଉପରେ ଧ୍ୟାନ ଦିଆଯିବା ଉଚିତ। ତୃତୀୟତଃ, ଆନ୍ତରିକ ଦୃଢ଼ ବିଶ୍ୱାସ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶକ୍ତି ଓ ସ୍ଥିରତା ପ୍ରଦାନ କରେ, ଯାହା ଆହ୍ୱାନଗୁଡ଼ିକୁ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗରେ ରୂପାନ୍ତରିତ କରିବାରେ ସକ୍ଷମ କରିଥାଏ। ଚତୁର୍ଥତଃ, ପ୍ରକୃତ ସଶକ୍ତିକରଣ ଯେକୌଣସି ବ୍ୟକ୍ତିଙ୍କ ନେତୃତ୍ୱ ବାହାରେ ରହିବା ଉଚିତ। ଏଥିପାଇଁ ଦୃଢ଼ ଅନୁଷ୍ଠାନ, ସକ୍ଷମ ଦଳ ଏବଂ ସ୍ଥାୟୀ ବ୍ୟବସ୍ଥା ସୃଷ୍ଟି କରିବା ଆବଶ୍ୟକ ।
ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ, ‘‘ଭାରତର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ଦୃଢ଼ ରାଜନୈତିକ ଏବଂ ପ୍ରଶାସନିକ ନେତୃତ୍ୱର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଜାତୀୟ ସଂକଳ୍ପକୁ ନୂତନ ଦିଗଦର୍ଶନ ଦେଇଛି। ଏହା ଏକ ବିକଶିତ, ସମୃଦ୍ଧ ଓ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ ରାଷ୍ଟ୍ର ହେବା ଦିଗରେ ଦେଶର ପରିବର୍ତ୍ତନକୁ ପ୍ରତିଫଳିତ କରେ ।’’
ଶ୍ରୀ ଲାହିରୀ ୨୦୪୭ ସୁଦ୍ଧା ୩୦-୪୦ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ପ୍ରତି ବ୍ୟକ୍ତି ୧୫ ହଜାର-୧୮ ହଜାର ଆମେରିକୀୟ ଡଲାର ମୁଣ୍ଡପିଛା ଆୟ ହାସଲ କରିବା ପାଇଁ ନୀତି ଆୟୋଗର ସାମଗ୍ରିକ ରୂପରେଖ ଉପସ୍ଥାପନ କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ପ୍ରତିବର୍ଷ ୭-୧୦ ପ୍ରତିଶତର ନିରନ୍ତର ପ୍ରକୃତ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।
ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ରଖି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର କହିଥିଲେ, ‘‘ଭାରତର ଶାସନ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଦେଖାଯାଇଛି ଯାହା ନିର୍ଣ୍ଣାୟକ ନେତୃତ୍ୱର ଶକ୍ତି ଏବଂ ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରିବାର କ୍ଷମତାକୁ ପ୍ରଦର୍ଶନ କରେ। ୨୦୦୧ କଚ୍ଛ ଭୂମିକମ୍ପ ପରେ ଦ୍ରୁତ ରିଲିଫ୍ ଏବଂ ପୁନଃନିର୍ମାଣ ଠାରୁ ଆରମ୍ଭ କରି କୋଭିଡ୍-୧୯ ମହାମାରୀ ପ୍ରତି ଦେଶର ସମନ୍ୱିତ ପ୍ରତିକ୍ରିୟା, ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥାରେ ଭାରତର ବର୍ଦ୍ଧିତ ଅଂଶଗ୍ରହଣ ଠାରୁ ଆରମ୍ଭ କରି ଲକ୍ଷପତି ଦିଦି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ପର୍ଯ୍ୟନ୍ତ ଏହି ସମସ୍ତ ପ୍ରୟାସ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଦର୍ଶନ କରିଥାଏ। ସମ୍ବେଦନଶୀଳ ପ୍ରଶାସନ ଏବଂ ମିଶନ-ଆଧାରିତ ଶାସନ ଲୋକଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ତାହା ଏଥିରେ ପ୍ରତିଫଳିତ ହୋଇଛି ।
ଏହି ଅବସରରେ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ୟୋଗ ବିକାଶକୁ ଏକ ପ୍ରମୁଖ ବାହକ ଭାବରେ ସ୍ୱୀକୃତି ଦିଆଯାଇଛି। ସହାୟତା ପ୍ରଣାଳୀକୁ ସଂସ୍ଥାଗତ ରୂପ ଦେବା, ଆର୍ଥିକ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏକ ଦୃଢ଼ ଷ୍ଟାର୍ଟଅପ୍ ପରିଦୃଶ୍ୟର ଅଭ୍ୟୁଦୟ ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ନୀତି ଆୟୋଗର ସଦସ୍ୟ ଡକ୍ଟର ଆର. ବାଲାସୁବ୍ରମଣ୍ୟମ୍ କର୍ମଶାଳାର ରୂପରେଖ ଏବଂ ଢାଞ୍ଚା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏହି କର୍ମଶାଳା ନେତୃତ୍ୱକୁ ନିଷ୍ପତ୍ତି ଏବଂ କାର୍ଯ୍ୟ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିଥିଲା ଯାହା ଏହାର ପ୍ରକୃତ ସାରକୁ ପ୍ରତିଫଳିତ କରିଥାଏ। ଦିନିକିଆ କର୍ମଶାଳାର କାର୍ଯ୍ୟଧାରାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଥିଲା ଯାହା ଅଂଶଗ୍ରହଣକାରୀମାନଙ୍କୁ ଅଭିଜ୍ଞତାରୁ ବିଶ୍ଳେଷଣ ଏବଂ ବିଶ୍ଳେଷଣରୁ ବ୍ୟବହାରିକ ପ୍ରୟୋଗ ଲାଗି ସକ୍ଷମ କରିବ । କର୍ମଶାଳା ପ୍ରକ୍ରିୟା ପାଞ୍ଚଟି ପର୍ଯ୍ୟାୟରେ ପରିଚାଳିତ ହୋଇଥିଲା: ଶିକ୍ଷା, ବିଶ୍ଳେଷଣ, ପ୍ରତିଫଳନ, ପ୍ରୟୋଗ ଏବଂ ସମାଧାନ। ଏହି ପର୍ଯ୍ୟାୟଗୁଡ଼ିକରେ, ଅଂଶଗ୍ରହଣକାରୀମାନେ ପ୍ରମୁଖ ନିଷ୍ପତ୍ତି ସହିତ ଜଡିତ ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଥିଲେ, ସରକାର, ଶିକ୍ଷାବିତ୍ ଏବଂ ନାଗରିକମାନଙ୍କୁ ନେଇ ଆଲୋଚନା ମାଧ୍ୟମରେ ସେଗୁଡ଼ିକୁ ବିଶ୍ଳେଷଣ କରିଥିଲେ । ଦୀର୍ଘସ୍ଥାୟୀ ସାର୍ବଜନୀନ ନେତୃତ୍ୱ ଅଭ୍ୟାସଗୁଡ଼ିକ ଉପରେ ବିଚାରବିମର୍ଶ କରିଥିଲେ । ଏହି ଶିକ୍ଷାଗୁଡ଼ିକୁ ସେମାନଙ୍କ ନିଜ କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜରେ ପ୍ରୟୋଗ କରିଥିଲେ ଏବଂ ସେମାନଙ୍କର ନେତୃତ୍ୱ ଅଭ୍ୟାସରେ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ନେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି କର୍ମଶାଳାର ଲକ୍ଷ୍ୟ ଭାରତୀୟ ପରିସ୍ଥିତି ଅନୁକୂଳ ସାର୍ବଜନୀନ ନେତୃତ୍ୱ ଉପରେ ଏକ ଅଭିନବ ଜ୍ଞାନ ଭିତ୍ତିଭୂମି ବିକଶିତ କରିବା। ଏହା ଭାରତୀୟ ନିଷ୍ପତ୍ତି ଏବଂ ପ୍ରତିଷ୍ଠାନର ଅଭିଜ୍ଞତା ଉପରେ ଆଧାରିତ ହେବ । ଏହା ମଧ୍ୟ ସରକାରୀ କର୍ମଚାରୀମାନଙ୍କୁ ତାଲିମ ଦେବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ସେମାନଙ୍କର ନେତୃତ୍ୱ ଶୈଳୀକୁ ଆକାର ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
‘ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ’ ଶୀର୍ଷକ ଅଧିବେଶନରେ ଚାରି ଜଣ ବକ୍ତା ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସେଥିରୁ ପ୍ରାପ୍ତ ନେତୃତ୍ୱ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଉପରେ ଆଲୋକପାତ କରିଥିଲେ ।
ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ରାଜୀବ ଟପନୋ ୨୦୦୧ ଭୂମିକମ୍ପ ପରେ କଚ୍ଛର ପୁନଃନିର୍ମାଣ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ସେ କହିଥିଲେ, ୨୦୦୧ ମସିହାରେ କଚ୍ଛର ପୁନଃନିର୍ମାଣ କେବଳ ସ୍ୱାଭାବିକ ପୁନରୁଦ୍ଧାରର ଏକ କାହାଣୀ ନୁହେଁ ବରଂ ଜନଭାଗୀଦାରୀ, ସାଂଗଠନିକ ସୁଦୃଢ଼ୀକରଣ ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ଏକ ନୂତନ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଏକ ପ୍ରୟାସ ଥିଲା। ଏହି ଅଭିଜ୍ଞତା ପ୍ରଭାବଶାଳୀ ପ୍ରଶାସନର ଚାରୋଟି ପ୍ରମୁଖ ସ୍ତମ୍ଭ ପ୍ରକାଶ କରିଥିଲା: ଦୃଷ୍ଟିକୋଣ ଓ ନିଷ୍ପତ୍ତି ଗ୍ରହଣର ସ୍ପଷ୍ଟତା, ଏକଜୁଟତା ଓ ପ୍ରତିବଦ୍ଧତା, ସରକାରୀ ସମର୍ଥନ ସହିତ ଜନଭାଗୀଦାରୀ ଏବଂ ଦୃଢ଼ ପ୍ରତିଷ୍ଠାନ ନିର୍ମାଣ।
ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ୟୁପିଏସସିର ପୂର୍ବତନ ଅଧ୍ୟକ୍ଷା ତଥା ମହାମାରୀ ପ୍ରସ୍ତୁତି ଓ ପ୍ରତିକ୍ରିୟା ଉପରେ ସ୍ୱାଧୀନ ପ୍ୟାନେଲର ପୂର୍ବତନ ସଦସ୍ୟ ପ୍ରୀତି ସୁଦାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୋଭିଡ-୧୯ ପ୍ରତିକ୍ରିୟା ରଣନୀତି ସମଗ୍ର ସରକାରୀ ବ୍ୟବସ୍ଥାର ସମନ୍ୱିତ ପ୍ରୟାସଠାରୁ ଆଗକୁ ବଢ଼ି ସମାଜରେ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଥିଲା । ଏଥିରେ ଡାକ୍ତର, ନର୍ସ ଏବଂ ଆଗଧାଡ଼ିର କର୍ମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥିଲା। ପ୍ରଯୁକ୍ତିବିଦ୍ୟା ଏହି ପ୍ରୟାସର ଆଧାର ଥିଲା ଏବଂ ଜନଭାଗୀଦାରୀକୁ ସୁନିଶ୍ଚିତ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ଏହି ପ୍ରୟାସ ମାଧ୍ୟମରେ, ଭାରତ ମହାମାରୀ ପ୍ରତି ଏକ ସମନ୍ୱିତ ପ୍ରତିକ୍ରିୟା ପ୍ରଦାନ କରିଥିଲା। ଟିକା ମୈତ୍ରୀ ବା ଭେକ୍ସିନ୍ ମୈତ୍ରୀ ପଦକ୍ଷେପ ମାଧ୍ୟମରେ, ଭାରତ ବିଶ୍ୱ ସଂହତି ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଥିଲା ଏବଂ ୧୦୦ରୁ ଅଧିକ ଦେଶକୁ ପ୍ରାୟ ୩୦୦ ନିୟୁତ ଡୋଜ୍ ଟିକା ପଠାଇଥିଲା ।
ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପୂର୍ବତନ ସଚିବ ଶୈଳେଶ କୁମାର ସିଂହ କହିଥିଲେ, ଲକ୍ଷପତି ଦିଦି ପଦକ୍ଷେପ ହେଉଛି ଗୋଟିଏ ପରିକଳ୍ପନାକୁ ଅଭୂତପୂର୍ବ ସ୍ତରରେ କାର୍ଯ୍ୟରେ ପରିଣତ କରିବାର ଏକ ଉଦାହରଣ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ମହିଳାମାନଙ୍କୁ ଉଦ୍ୟୋଗୀ, ଉତ୍ପାଦକ ଏବଂ ସେବା ପ୍ରଦାନକାରୀ ଭାବରେ ସ୍ୱୀକୃତି ଦେଇଛନ୍ତି ଏବଂ ଏହି ପଦକ୍ଷେପ ପାଇଁ ସ୍ପଷ୍ଟ ଓ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଲକ୍ଷପତି ଦିଦି ପଦକ୍ଷେପ କେବଳ ଆୟ ସୃଷ୍ଟି ମଧ୍ୟରେ ସୀମିତ ନୁହେଁ; ଏହା ପରିବାର ଓ ସମାଜ ମଧ୍ୟରେ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ମର୍ଯ୍ୟାଦା ଓ ପରିଚୟକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ । ଏହି କାର୍ଯ୍ୟକ୍ରମର ଏକ ବ୍ୟାପକ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଥିଲେ ।
ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଓ ଭାରତ ସରକାରଙ୍କ ମହାକାଶ ବିଭାଗର ପୂର୍ବତନ ସଚିବ ଡକ୍ଟର ଏସ. ସୋମାନାଥ କହିଥିଲେ, ଉଦାରୀକରଣ କରାଯାଇଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନିୟମାବଳୀ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ଏହା ମହାକାଶ କ୍ଷେତ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଯୋଗଦାନକାରୀ ଭାବରେ ଉଭା ହେବାକୁ ସକ୍ଷମ କରୁଛି। ସେ କହିଥିଲେ, ଇସ୍ରୋ ଏହାର ବିଶେଷଜ୍ଞତା, ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକୁ ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କ ନିକଟରେ ପହଞ୍ଚାଇ ଏହି ପରିବର୍ତ୍ତନକୁ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ‘‘ସ୍ପେସ୍ ଭିଜନ ୨୦୪୭’’ ଦେଶର ବୈଜ୍ଞାନିକ କ୍ଷମତାକୁ ଆହୁରି ଆଗକୁ ବଢ଼ାଇବ ଏବଂ ବିଶ୍ୱ ମହାକାଶ ଶକ୍ତି ଭାବରେ ଭାରତର ସ୍ଥିତିକୁ ମଜବୁତ କରିବ ।
ଏହି ଅଧିବେଶନ ପରେ, ଅଂଶଗ୍ରହଣକାରୀମାନେ ଏକ “କେସ୍ କ୍ଲିନିକ୍”ରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଗୋଷ୍ଠୀ ଏକ ଆବଣ୍ଟିତ ପ୍ରସଙ୍ଗ ସହ ଜଡିତ ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତିକୁ ଅଧ୍ୟୟନ କରିଥିଲେ। ପ୍ରତ୍ୟେକ ଗୋଷ୍ଠୀରେ ସରକାରୀ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟ ଅଂଶୀଦାର ଏବଂ ଛାତ୍ରଛାତ୍ରୀ ସାମିଲ ଥିଲେ। ଏହି ଗୋଷ୍ଠୀଗୁଡ଼ିକୁ ଦକ୍ଷତା ବିକାଶ କମିଶନର “ଅମୃତ ଜ୍ଞାନ କୋଷ” ପଦକ୍ଷେପ ଅଧୀନରେ ତାଲିମପ୍ରାପ୍ତ ଜଣେ କେସ୍ ରାଇଟରଙ୍କ ଦ୍ୱାରା ମାର୍ଗଦର୍ଶନ କରାଯାଇଥିଲା। ଗୋଷ୍ଠୀଗୁଡ଼ିକରେ ଆଲୋଚନା ଏବଂ ବକ୍ତାମାନଙ୍କ ଦ୍ୱାରା ସେୟାର କରାଯାଇଥିବା ପ୍ରତ୍ୟକ୍ଷ ଅଭିଜ୍ଞତାକୁ ଦକ୍ଷତା ବିକାଶ କମିଶନ କେସ୍ ଷ୍ଟଡିରେ ବିକଶିତ କରିବେ। ଏଗୁଡ଼ିକୁ ସରକାରୀ କର୍ମଚାରୀ, ତାଲିମ ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ବ୍ୟବହାର ପାଇଁ ଆଇଗଟ୍ କର୍ମଯୋଗୀ ପ୍ଲାଟଫର୍ମରେ ଉପଲବ୍ଧ କରାଯିବ ।