ଅକ୍ଟୋବର ୧୧ରେ ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ

● ଦେଶର ଗ୍ରାମାଞ୍ଚଳରେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପ୍ରକାଇବ ପ୍ରଭାବ
● ୪ ବର୍ଷରେ ପର୍ୟ୍ୟାୟକ୍ରମେ ଏହି ଯୋଜନା ଅଧୀନରେ ୬.୨୨ ଲକ୍ଷ ଗ୍ରାମ ହେବ ସାମିଲ
● ଗ୍ରାମବାସୀଙ୍କ ପାଇଁ ସମ୍ପତ୍ତିକୁ ଏକ ଆର୍ଥିକ ସମ୍ବଳ ଭାବେ ଉପଯୋଗ କରିବାକୁ ଏହା ପଥ ପରିଷ୍କାର କରିବ

ନୂଆଦିଲ୍ଲୀ, (ପିଆଇବି) : ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ । ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ । ଏହାପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ପଟ୍ଟାକୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବେ । ଏହି ହିତାଧିକାରୀମାନେ ୬ଟି ରାଜ୍ୟର ୭୬୩ଟି ଗ୍ରାମର ବୋଲି ଜଣାପଡିଛି । ଏଥିରେ ଉତ୍ତରପ୍ରଦେଶରୁ ୩୪୬, ହରିୟାଣାରୁ ୨୨୧, ମହାରାଷ୍ଟ୍ରରୁ ୧୦୦, ମଧ୍ୟପ୍ରଦେଶରୁ ୪୪, ଉତ୍ତରାଖଣ୍ଡରୁ ୫୦ ଓ କର୍ଣ୍ଣାଟକରୁ ୨ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ହିତାଧିକାରୀମାନେ ସେମାନଙ୍କ ପଟ୍ଟାର ଅବିକଳ ନକଲ ଗୋଟିଏ ଦିନରେ ପାଇବାକୁ ଥିବା ବେଳେ ମହାରାଷ୍ଟ୍ରରେ ପଟ୍ଟା ବାବଦ ଦେୟ ପ୍ରଦାନ କରିବାକୁ ପଡୁଥିବାରୁ ସେଥିପାଇଁ ପ୍ରାୟ ଏକ ମାସ ଲାଗିଯିବ ।
ଏହାଫଳରେ ପଟ୍ଟାକୁ ଗ୍ରାମବାସୀମାନେ ଏକ ଆର୍ଥିକ ସମ୍ପତ୍ତି ଭାବେ ବିବେଚନା କରି ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଲାଭ କରିପାରିବେ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ସମ୍ପତ୍ତି ମାଲିକଙ୍କ ପାଇଁ ସୁବିଧା କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ହିତାଧିକାରୀଙ୍କ ସହ ମତ ବିନିମୟ ମଧ୍ୟ କରିବେ । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । କାର୍ୟ୍ୟକ୍ରମ ଦିନ ୧୧ଟା ବେଳେ ଆରମ୍ଭ ହେବ ।
ସ୍ଵାମିତ୍ଵ କଣ?
ସ୍ଵାମିତ୍ଵ ହେଉଛି ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ଯୋଜନା ଯାହାକି ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳରେ ଘର ମାଲିକଙ୍କୁ ରେକର୍ଡ ଅଧିକାର ଦେଇ ପଟ୍ଟା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ୪ ବର୍ଷ (୨୦୨୦-୨୪) ମଧ୍ୟରେ ଏହି ଯୋଜନା ଦେଶବ୍ୟାପୀ ପର୍ୟ୍ୟାୟକ୍ରମେ ତ୍ୱରାନ୍ୱିତ ହେବ । କ୍ରମଶଃ ଦେଶର ୬.୬୨ ଲକ୍ଷ ଗ୍ରାମ ଏଥିରେ ସାମିଲ ହେବେ । ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ପଞ୍ଜାବ ଓ ରାଜସ୍ଥାନର କେତେକ ସୀମାନ୍ତ ଗ୍ରାମକୁ ମିଶାଇ ପ୍ରାୟ ଏକ ଲକ୍ଷ ଗ୍ରାମ ଏକ ବୃହତ ପର୍ୟ୍ୟାୟରେ (୨୦୨୦-୨୪) ଏଥିରେ ଅନ୍ତର୍ଭୁକ୍ତ ହେବେ । ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ୬ଟି ରାଜ୍ୟ ଗ୍ରାମାଞ୍ଚଳରେ ଡ୍ରୋନ ସର୍ଭେ କରିବା ପାଇଁ ସର୍ଭେ ଅଫ ଇଣ୍ଡିଆ ସହ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ରାଜ୍ୟଗୁଡିକ ଡିଜିଟାଲ ଜମିପଟ୍ଟା ଫର୍ମାଟକୁ ଚୁଡାନ୍ତ କରିଛନ୍ତି ଏବଂ ଗ୍ରାମଗୁଡିକରେ ଡ୍ରୋନ ଭିତ୍ତିକ ସର୍ଭେ କରାଯିବ । ପଞ୍ଜାବ ଓ ରାଜସ୍ଥାନ ରାଜ୍ୟ ସର୍ଭେ ଅଫ ଇଣ୍ଡିଆ ସହିତ ସିଓଆର ନେଟୱାର୍କ ସହିତ ଭବିଷ୍ୟତରେ ଡ୍ରୋନ ସର୍ଭେ ପାଇଁ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ଅବଶ୍ୟ ବିଭିନ୍ନ ରାଜ୍ୟର ଜମିପଟ୍ଟାର ଭିନ୍ନ ଭିନ୍ନ ନାମ ରହିଛି, ଯେପରିକି ହରିୟାଣାରେ ଟାଇଟଲ ଡିଡ, କର୍ଣ୍ଣାଟକରେ ରୁରାଲ ପ୍ରପର୍ଟି ଓନରସିପ ରେକର୍ଡ, ମଧ୍ୟପ୍ରଦେଶରେ ଅଧିକାର ଅଭିଲେଖ, ମହାରାଷ୍ଟ୍ରରେ ସନନ୍ଦ, ଉତ୍ତରାଖଣ୍ଡରେ ସ୍ଵାମିତ୍ଵ ଅଭିଲେଖ, ଉତ୍ତର ପ୍ରଦେଶରେ ଘରାଉଣୀ ଇତ୍ୟାଦି ।

Leave A Reply

Your email address will not be published.