ରାଜସ୍ଥାନକୁ ୪୬ ରନରେ ହରାଇ ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ : ହାଇସ୍କୋରିଙ୍ଗ ଗ୍ରାଉଣ୍ଡରେ ବୋଲରଙ୍କ କମାଲ

ସାର୍‌ଜା : ଶୁକ୍ରବାର ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ସ ପ୍ରିମିୟର ଲିଗ୍‌)ର ୨୩ତମ ମ୍ୟାଚ୍‌ ଖେଳା ଯାଇଥିଲା । ପଏଣ୍ଟ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସପ୍ତମରେ ଥିବା ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ଦଳ ଅପରିବର୍ତିତ ରହିଥିଲା ବେଳେ ରାଜସ୍ଥାନ ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା । ଅଙ୍କିତ ରାଜପୁତ ଓ ଟମ୍‌ କରନ୍‌ଙ୍କ ସ୍ଥାନରେ ପ୍ରଥମ ଥର ଲାଗି ଦ୍ରୁତ ବୋଲର ବରୁଣ ଆରୋନ୍‌ ଓ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଟାଇ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ । ଏହାସତ୍ତ୍ବେ ବି ରାଜସ୍ଥାନ ଭାଗ୍ୟରେ ପରିବର୍ତନ ଘଟିନଥିଲା । ଏହି ଦଳ ଦିଲ୍ଲୀଠାରୁ ୪୬ ରନ୍‌ରେ ହାରିଗଲା । ଦିଲ୍ଲୀର ୧୮୪/୮ ଜବାବରେ ରାଜସ୍ଥାନ ପାଳି ୧୩୮ ରନ୍‌ରେ ସଫା ହୋଇଯାଇଥିଲା । ଫଳରେ ନିଜର ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ରୟାଲ୍‌ସ ପଏଣ୍ଟ ତାଲିକାରେ ଅପରିବର୍ତିତ ରହିବାକୁ ବାଧ୍ୟ ହୋଇଥିବା ବେଳେ ଦିଲ୍ଲୀ କିନ୍ତୁ ୬ ମ୍ୟାଚ୍‌ର ପଞ୍ଚମ ବିଜୟ ସହ ଶୀର୍ଷକୁ ପୁଣି ଫେରିଛି ।
ଟସ୍‌ ଜିତି ରାଜସ୍ଥାନ ରୟାଲ୍‌ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଶିଖର ଧାୱନ୍‌ ଦ୍ବିତୀୟ ଓଭରରେ ପାଭିଲିୟନ୍‌ ଫେରିଯିବା ପରେ ଅଧିନାୟକ ଶ୍ରେୟସ ଆୟର ଓ ୱିକେଟ୍‌ରକ ଋଷଭ ପନ୍ତ୍‌ଙ୍କ ରନ୍‌ ଆଉଟ୍‌ ହିଁ ଦିଲ୍ଲୀକୁ ସଂକଟରେ ପକାଇ ଦେଇଥିଲା। ପୃଥ୍ବୀ ମଧ୍ୟ ବଡ଼ ସଟ୍‌ ଖେଳିବାକୁ ଯାଇ ପଞ୍ଚମ ଓଭର ବେଳକୁ ପଡ଼ିଆ ଛାଡ଼ିଥିଲେ। ତେବେ ‌ମାର୍କସ ଷ୍ଟୋଇନିସ୍‌ ଓ ସିମ୍ରନ୍‌ ହେଟ୍‌ମେୟର ପଞ୍ଚମ ୱିକେଟ୍‌ରେ ୩୦ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରୁଥିଲା ବେଳେ ରାହୁଲ ତିୱାତିଆ ଓ ଜୋଫ୍ରା ଆର୍ଚର ହିଁ ଦିଲ୍ଲୀର ରନ୍‌ ଗତି ରୋକିଦେଇଥିଲେ। ହର୍ଷଲ ପଟେଲଙ୍କୁ ସାଥୀ କରି ହେଟ୍‌ମେୟର ଷଷ୍ଠ ୱିକେଟ୍‌ରେ ୪୦ ରନ୍‌ କରିବା ଏବଂ ଅକ୍ଷର ପଟେଲ ୧୭ ରନ୍‌ କରିବାରୁ ଦିଲ୍ଲୀ ସ୍କୋର୍‌ ୧୮୪/୮ରେ ପହଞ୍ଚି ଯାଇଥିଲା। ଉଭୟ ହର୍ଷଲ ଓ ଅକ୍ଷର ସପ୍ତମ ୱିକେଟ୍‌ରେ ୩୨ ରନ୍ ଯୋଡ଼ିଥିଲେ।
୧୮୫ ରନ୍‌ର ପିଛା କରିଥିବା ରାଜସ୍ଥାନର ୱିକେଟ୍‌ ପତନ ଧାରା ତୃତୀୟ ଓଭରରୁ ହିଁ ଆରମ୍ଭ ହୋଇଯାଇଥିଲା। ଅକ୍ଷର ପଟେଲ ସବୁଠୁ କଞ୍ଜୁସ୍‌ ବୋଲିଂ କରିଥିଲା ବେଳେ କାଗିସୋ ରବାଦାଙ୍କ ୩, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇ ରାଜସ୍ଥାନର ବିପର୍ୟ୍ୟୟ ଘଟାଇଥିଲେ। କେବଳ ଯଶସ୍ବୀ ଜୟସ୍ବାଲ ଓ ସ୍ମିଥ୍‌ ଦ୍ବିତୀୟ ୱିକେଟ୍‌ରେ ୪୧ ରନ୍‌ ଯୋଡ଼ିଥିଲା ବେଳେ ନିୟମିତ ବ୍ୟବଧାନରେ ୱିକେଟ୍‌ ଝଡ଼ି ଚାଲିଥିଲା। ୧୫ ଓଭର ବେଳକୁ ୭ ୱିକେଟ୍‌ ହରାଇ ୧୦୦ ରନ୍‌ କରିଥିବା ରୟାଲ୍‌ସ ପାଇଁ ମ୍ୟାଚ୍‌କୁ ଫେରିବା ଆଉ ସମ୍ଭବ ହୋଇନଥିଲା। ରାହୁଲ ତିୱାତିଆ ଶେଷ ଆଡ଼କୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ତାହା ପରାଜୟ ଏଡ଼ାଇବା ପାଇଁ ଯଥେଷ୍ଟ ହୋଇନଥିଲା। ସେ ୩୮ ରନ୍‌ କରି କାଗିସୋ ରବାଦାଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଫଳରେ ଶେଷ ୫ ଓଭରରୁ ୮୫ ରନ୍‌ ଆବଶ୍ୟକ କରୁଥିବା ରାୟାଲ୍‌ସ ୩୮ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ଶେଷରେ ବରୁଣ ଆରୋନ୍‌ଙ୍କ ୱିକେଟ୍‌ ନେଇ ରବାଦା ଦିଲ୍ଲୀର ବିଜୟ ମୁଣ୍ଡି ମାରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

Leave A Reply

Your email address will not be published.