ଶାନ୍ତିପଡ଼ାର ଜୟନ୍ତ ଦାଶଙ୍କ ଘରେ ଚୋରୀ : ୬୦ ହଜାର ଟଙ୍କା ଓ ୨ ଶହ ଗ୍ରାମ ସୁନା ଅଳଙ୍କାର ଗାଏବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ରାତିରେ ସ୍ଥାନୀୟ ଶାନ୍ତିପଡ଼ା ବାସିନ୍ଦା ତଥା ନଲେଜ ସେଣ୍ଟରର ମାଲିକ ଜୟନ୍ତ ଦାଶଙ୍କ ଘରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଏଥିରେ ୨ ଶହ ଗ୍ରାମ ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଚୋରୀ ହୋଇଥିବା କୁହାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଜୟନ୍ତ ଦାଶଙ୍କ ମା’ ତାଙ୍କ ପାଖ ଘରେ ବଡ଼ଭାଇ ପାଖରେ ରୁହନ୍ତି । କିଛି ଦିନ ହେଲା ତାଙ୍କ ଦେହ ଖରାପ ଥିଲା । ତେଣୁ ଗତ ଦୁଇଦିନ ହେଲା ଜୟନ୍ତ ଦାଶ ନିଜ ଘର ବନ୍ଦ କରି ମା’ଙ୍କ ପାଖରେ ଶୋଉଥିଲେ । କିନ୍ତୁ ଆଜି ସକାଳୁ ଆସି ଦେଖିବା ବେଳକୁ ଘରର ସମସ୍ତ ଆଲମାରୀ ଖୋଲା ହୋଇଥିବା ବେଳେ ଜିନିଷପତ୍ର ଛିନ୍ନଛତ୍ର ହୋଇ ପଡ଼ିଛି ।

ଗତରାତି ପ୍ରାୟ ୧୨ଟା ସମୟରେ ଜୟନ୍ତ ବାବୁ ଘରୁ ଯାଇଥିବା ବେଳେ ଏହାପରେ ଏହି ଚୋରୀ ହୋଇଥିବା ସେ ଅନୁମାନ କରୁଛନ୍ତି । ତାଙ୍କ ଘର ପଛପଟ ଝର୍କା ଭାଂଗି ଚୋରମାନେ ଘର ଭିତରକୁ ପଶି ଥିବାବେଳେ ସମସ୍ତ ସୁନା ଅଳଙ୍କାର ଓ ନଗଦ ଲକ୍ଷାଧିକ ଟଙ୍କା ଚୋରୀ କରି ନେଇଥିବା ଶ୍ରୀ ଦାଶ ଆଜି ସକାଳୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳକୁ ପହଂଚି ନଥିବା ବେଳେ ବଡ଼ବାବୁ ଆସିଲେ ପୋଲିସ ଟିମ୍‌ ଆସିବ ବୋଲି ଥାନାରେ କୁହାଯାଇଥିବା ଶ୍ରୀ ଦାଶ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଗତ କିଛି ଦିନ ହେଲା ସହରରେ ରାହାଜାନୀ, ଲୁଟ୍‌ମାର୍‌, ଗଣ୍ଡଗୋଳ ବଢ଼ିବାରେ ଲାଗିଛି । ଏପରିକି ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ବିଚ୍‌ ବଜାରରେ ସଂଘର୍ଷ ହେଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଲୋକ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଚୋର ତାଙ୍କ ଘର ସଫା କରି ନେଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ପୋଲିସ ପ୍ରଶାସନର ସକ୍ରିୟତାକୁ ନେଇ ଜନସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.