pakka

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପାର୍ବଣ ଭେଟି

bbehera

● ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ ୪% କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍
● ଜୁଲାଇ ପହିଲା, ୨୦୨୨ରୁ ପିଛିଲା ଭାବେ ମିଳିବ ଡିଏ ଏବଂ ଡିଆର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ଲାଭ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜୁନ ୨୦୨୨ରେ ଶେଷ ହେଉଥିବା ଅବଧିରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ୧୨ ମାସିଆ ହାରାହାରୀ ବୃଦ୍ଧି ପ୍ରତିଶତକୁ ଆଧାର କରି ଡିଏ ଏବଂ ଡିଆରରେ ଏହି ବୃଦ୍ଧି କରାଯାଇଛି ।

୧ ଜୁଲାଇ, ୨୦୨୨ ଠାରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ଅଧିକ ପରିମାଣର ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପାଇବା ଲାଗି ହକଦାର ହେବେ ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬,୫୯୧ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ସରକାର ୪,୩୯୪ କୋଟି ଟଙ୍କା ରାଜକୋଷରୁ ବ୍ୟୟ କରିବେ ।

ଅନ୍ୟପକ୍ଷରେ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬ହଜାର ୨୬୧ କୋଟି ୨୦ ଲକ୍ଷ ଟଙ୍କା ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି । ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ସରକାର ଏଥିପାଇଁ ରାଜକୋଷରୁ ୪,୧୭୪.୧୨ କୋଟି ଟଙ୍କା ବ୍ୟୟ କରିବେ ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାକୁ ମିଶାଇଲେ ସରକାରଙ୍କୁ ପ୍ରତିବର୍ଷ ରାଜକୋଷରୁ ୧୨,୮୫୨.୫୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ରାଜକୋଷ ଉପରେ ୮ହଜାର ୫୬୮.୩୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ।

Leave A Reply

Your email address will not be published.

one + eight =