ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପାଖାପାଖି ୩ ମାସ ପରେ ଦୈନିକ ନୂତନ ମାମଲା ୫୦ ହଜାରରୁ କମ
● ମୋଟ ସଂକ୍ରମଣର ଶତକଡା ୧୦ ଭାଗ ସକ୍ରିୟ ମାମଲା
● ସକ୍ରିୟ ମାମଲା ପୁଣି ନିମ୍ନଗାମୀ, ବର୍ତ୍ତମାନ ୭.୫୦ ଲକ୍ଷରୁ କମ

ନୂଆଦିଲ୍ଲୀ, (ପିଆଇବି) : କରୋନା ସଂକ୍ରମଣ ବିରୁଦ୍ଧ ସଂଗ୍ରାମରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ କମ (୪୬,୭୯୦) ରହିଛି । ପାଖାପାଖି ୩ ମାସ ପରେ ପ୍ରଥମଥର ନିମନ୍ତେ ଏହି ମାମଲା ଏତେ ତଳକୁ ଖସିଛି । ଜୁଲାଇ ୨୮ରେ ୪୭,୭୦୩ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ପ୍ରତିଦିନ ସୁସ୍ଥ ହେଉଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଏହାଛଡା ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଉ ଏକ ସଫଳତା ସ୍ୱରୂପ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ତୁଳନାରେ ୧୦ ପ୍ରତିଶତକୁ ଖସି ଆସିଛି । ଦେଶରେ ମୋଟ ପଜିଟିଭ ରୋଗୀ ସଂଖ୍ୟା ଆଜି ୭ ଲକ୍ଷରୁ (୭,୪୮,୫୩୮) କମ ହୋଇଥିବା ବେଳେ ଏହା ମୋଟ ସଂକ୍ରମଣ ସଂଖ୍ୟାର ୯.୮୫ ପ୍ରତିଶତ ବୋଲି ଜଣାପଡିଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ନିଆଯାଉଥିବା ରଣନୀତିକୁ ସମର୍ଥନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ତ୍ଵରିତ ପଦକ୍ଷେପ ନେଉଥିବାରୁ ଏହି ସଫଳତା ମିଳିଛି । ଦେଶବ୍ୟାପୀ ଅଧିକରୁ ଅଧିକ ନମୁନା ପରୀକ୍ଷା, ତତ୍କାଳ ଯାଞ୍ଚ ଏବଂ ଚିହ୍ନଟ, ଆବଶ୍ୟକସ୍ଥଳେ ଶୀଘ୍ର ହସ୍ପିଟାଲ ଚିକିତ୍ସା ଭଳି ପଦକ୍ଷେପମାନ ନିଆଯାଉଛି । ଏହାଛଡା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ସମଗ୍ର ଦେଶରେ ଏହି ସଫଳତା ହାସଲ ହୋଇଛି ।
ଅଧିକରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୭ ଲକ୍ଷ (୬୭,୩୩,୩୨୮) ଅତିକ୍ରମ କରିଛି । ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏହା ଆଜି ୫୯,୮୪,୭୯୦ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୬୯,୭୨୦ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ମୁକୁଳିଛନ୍ତି । ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୮୮.୬୩ ପ୍ରତିଶତରେ ପହଞ୍ଚିଛି ।
ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଶତକଡା ୭୮ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୧୫ ହଜାର ସୁସ୍ଥ ହୋଇଥିବା ବେଳେ ତା’ପଛକୁ କର୍ଣ୍ଣାଟକରୁ ୮ ହଜାରରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି ।
ଶତକଡା ୭୫ ଭାଗ ନୂତନ ସଂକ୍ରମିତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରୁ ୫ ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ନୂତନ ସଂକ୍ରମିତ ରହିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୫୮୭ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ପାଖାପାଖି ଶତକଡା ୮୧ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଅଛନ୍ତି । କ୍ରମାଗତ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା ୬୦୦ରୁ କମ ରହିଛି ।
ମହାରାଷ୍ଟ୍ରରୁ ସର୍ବାଧିକ ଗୋଟିଏ ଦିନରୁ ୧୨୫ ଜଣଙ୍କର ମୃତ୍ୟୁ ଘଟିଛି ।
ବିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ସର୍ବାଧିକ ରୋଗୀ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ସର୍ବନିମ୍ନ ରହିଛି । ଆଜି ଏହି ହାର ୧.୫୨ ପ୍ରତିଶତ ରହିଥିବା ବେଳେ କ୍ରମାଗତ ଭାବେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି ।

Leave A Reply

Your email address will not be published.