ବ୍ରାଜିଲ ଦେଲା ଚୀନ୍‌କୁ ବଡ଼ ଝଟକା : ସିନୋଭାକ୍ କରୋନା ଟୀକା ପରୀକ୍ଷଣ ସ୍ଥଗିତ

ରିଓ ଡି ଜେନେରିଓ : ଚୀନ୍‌କୁ ଝଟକା ଦେଇ ବ୍ରାଜିଲ ସିନୋଭାକ କମ୍ପାନୀର କରୋନା ଭାଇରସ ଟୀକା କରୋନାଭେକର ପରୀକ୍ଷାକୁ ସ୍ଥଗିତ ରଖିଛି । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ଯେ, ଟୀକା ଦ୍ୱାରା ହୋଇଥିବା ପ୍ରତିକୂଳ ଘଟଣା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ଘଟଣା ୨୯ ଅକ୍ଟୋବରରେ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ ବ୍ରାଜିଲ କିମ୍ବା ଅନ୍ୟ ଦେଶରେ ଏହି ଘଟଣା ଘଟିଛି କି ନାହିଁ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସାଓ ପାଓଲୋର ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବୁଟାନାନର ମୁଖ୍ୟ ଡିମାସ୍ କୋଭାସ୍ କହିଛନ୍ତି ଯେ, ଏହି ଟୀକା ଦ୍ୱାରା ମୃତ୍ୟୁ ପରେ ଚୀନ୍‌ର ଟୀକା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ଏହା ବି କହିଛନ୍ତି ଯେ, ଏହି ମୃତ୍ୟୁ ଟୀକାକରଣ ସହିତ ଜଡିତ ନୁହେଁ । ଏହି ଟୀକା ବର୍ତ୍ତମାନ ୧୦,୦୦୦ରୁ ଅଧିକ ଲୋକଙ୍କ ଉପରେ ଚାଲିଛି । ଏପରି ପରିସ୍ଥିତିରେ ଜଣଙ୍କର ମୃତ୍ୟୁ ହୋଇପାରେ ।

ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସନାରୋ ଚୀନ୍‌ର କୋଭିଡ -୧୯ ଟୀକାକୁ ପରିହାସ କରି କହିଛନ୍ତି ଯେ, ବ୍ରାଜିଲୀୟମାନେ କାହା ପାଇଁ ଗିନି ଘୁଷୁରୀ ହୋଇପାରିବେ ନାହିଁ । ସେ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ଦେଶ ଚାଇନାରୁ କରୋନା ଭାଇରସ ଟୀକା କିଣିବ ନାହିଁ । ରାଷ୍ଟ୍ରପତି ବୋଲସନାରୋ ସୋସିଆଲ ମିଡିଆରେ ତାଙ୍କର ଜଣେ ସମର୍ଥକଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ଅବଶ୍ୟ ଆମେ ଚୀନ୍‌ର ଟୀକା କିଣିବୁ ନାହିଁ ।

Leave A Reply

Your email address will not be published.