ଭାରତକୁ ଆମେରିକାର ଚେତାବନୀ – ଯଦି ରୁଷ ସହିତ ବନ୍ଧୁତା ବଢ଼ାଅ, ତେବେ ଭୋଗିବାକୁ ହେବ ପରିଣାମ

ୱାଶିଂଟନ୍ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା କ୍ରମାଗତ ଭାବରେ ଭାରତ ଉପରେ ଚାପ ପକାଉଛି । ବର୍ତ୍ତମାନ ଆମେରିକା ଖୋଲାଖୋଲି ଭାବେ ଚେତାବନୀ ଦେଇଛି ଯେ, ଯଦି ଭାରତ ରୁଷ ସହିତ ମେଣ୍ଟ କରେ, ତା’ହେଲେ ଏହାର ମୂଲ୍ୟ ଦେବାକୁ ପଡିବ । ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀର୍ଷ ଅର୍ଥନୈତିକ ପରାମର୍ଶଦାତା ବ୍ରାଏନ ଡିଜ୍‌ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧରେ ଭାରତ ଏବଂ ଚୀନ୍‌ର ନିଷ୍ପତ୍ତି ନେଇ ଆମେ ନିରାଶ ହୋଇଛୁ ।

ହ୍ୱାଇଟ ହାଉସର ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ୍ ଡିଜ୍ । ଏପ୍ରିଲ୍ ୬ରେ, ବ୍ରାଏନ୍ ଡିଜ୍ ଆନ୍ତର୍ଜାତୀୟ ସମ୍ବାଦ ୱେବସାଇଟ୍ ଖ୍ରୀଷ୍ଟିଆନ ସାଇନ୍ସ ମନିଟର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥା ହେଉଥିଲେ । ଏହି ସମୟରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଭାରତ ରୁଷ ସହିତ ରଣନୀତିକ ଭାଗିଦାରୀ ବୃଦ୍ଧି କରେ, ତେବେ ଦୀର୍ଘମିଆଦି ପରିଣାମର ସାମ୍ନା କରିବାକୁ ପଡିବ । ଉଲ୍ଲେଖନୀୟ କଥା ହେଉଛି, ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିବା ପରେ ଆମେରିକା, ୟୁରୋପ, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ରୁଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇବା ଆରମ୍ଭ କଲେ । କିନ୍ତୁ ଭାରତ ଏପର୍ଯ୍ୟନ୍ତ ତାହା କରିନାହିିଁ ଏବଂ ଲଗାତାର ରୁଷରୁ ତେଲ ଆମଦାନି କରୁଛି । କେବଳ ଏତିକି ନୁହେଁ, ରୁଷ୍‌ କମ୍ ମୂଲ୍ୟରେ ଭାରତକୁ ତେଲ ଦେବା ବିଷୟରେ କହିଛି ।

ପରସ୍ପର ସହ କଥାବାର୍ତ୍ତା କରି ଯୁଦ୍ଧ ବନ୍ଦ କରିବାକୁ ଭାରତ ଉଭୟ ଦେଶକୁ ନିରନ୍ତର ନିବେଦନ କରିଆସିଛି । କିନ୍ତୁ ରୁଷ ଆକ୍ରମଣକୁ ଭାରତ ମଧ୍ୟ ନିନ୍ଦା କରିନାହିଁ, ଯେଉଁଥିପାଇଁ ଆମେରିକା କ୍ରୋଧିତ । ଏପରିକି ମିଳିତ ଜାତିସଂଘରେ ମଧ୍ୟ ରୁଷର ଆକ୍ରମଣକୁ ନିନ୍ଦା ସଂକଳ୍ପ ଉପରେ ଭାରତ ମତଦାନରୁ ନିବୃତ୍ତ ହୋଇଛି । ଆମେରିକା ଭାରତର ଏହି ମନୋଭାବକୁ ପସନ୍ଦ କରୁନାହିଁ ।

Leave A Reply

Your email address will not be published.