pakka

ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ ୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

bbehera
  • ଏହି ବିଲ୍ ଆଇନରେ ପରିଣତ ହୋଇ କାର୍ୟ୍ୟକାରୀ ହେଲେ ଦେଶରେ ଗବେଷଣା ପରିବେଶ ସୁଦୃଢ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ (ଏନ୍‌ଆର୍‌ଏଫ) ବିଲ-୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ବିଲ୍ ଗୃହୀତ ହେଲେ ଦେଶରେ ଏନ୍‌ଆର୍‌ଏଫ୍ ପ୍ରତିଷ୍ଠା ପାଇଁ ପଥ ପରିସ୍କାର ହେବ । ଏହା ଦେଶର ଗବେଷଣା ଓ ଉନ୍ନୟନ ପାଇଁ ପାଣ୍ଠି ଯୋଗାଣ ଓ ଏହାର ପ୍ରୋତ୍ସାହନ ଦିଗରେ କାମ କରିବ । ଏହା ମଧ୍ୟ ଦେଶରେ ଗବେଷଣା ଓ ଉନ୍ନୟନ ପରିବେଶକୁ ସୁଦୃଢ କରିବ । ଦେଶର ସବୁ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ଗବେଷଣା ଉନ୍ନୟନ ପରୀକ୍ଷାଗାର ଗୁଡିକରେ ଗବେଷଣା ଏବଂ ସହଭାଗିତାରା ଏକ ନୂଆ ସଂସ୍କତି ଓ ବାତାବରଣ ସୃଷ୍ଟି ହୋଇପାରିବ ।
ବିଲ୍‌ଟି ସାଂସଦର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ । ତଦନୁସାରେ ଦେଶରେ ଏକ ଜାତୀୟ ଗବେଷଣା ଫାଉଣ୍ଡେସନ ବା ଏନ୍‌ଆର୍‌ଏଫ୍ ପ୍ରତିଷ୍ଠା କରାଯିବ । ନୂଆ ଜାତୀୟ ଶିକ୍ଷାନୀତିର ସୁପାରିସ ଅନୁସାରେ ଏନ୍‌ଆର୍‌ଏଫ ଦେଶରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଶୀର୍ଷ ଅନୁଷ୍ଠାନ ଭାବେ କାମ କରିବ । ଦେଶରେ ବିଜ୍ଞାନଭିତ୍ତିକ ଗବେଷଣା କିପରି ହେବ ସେଥିପାଇଁ ଏହା ଉଚ୍ଚସ୍ତରୀୟ ରଣକୌଶଳାତ୍ମକ ନିର୍ଦ୍ଦେଶ ପ୍ରଦାନ କରିବ । ପାଞ୍ଚବର୍ଷ (୨୦୨୩-୨୮) ପାଇଁ ଏନ୍‌ଆର୍‌ଏଫ ମୋଟ ୫୦, ୦୦୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରିବ ବୋଲି ହିସାବ କରାଯାଇଛି ।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଏନ୍‌ଆର୍‌ଏଫ୍ କାର୍ୟ୍ୟ କରିବ । ଏକ ପରିଚାଳନା ମଣ୍ଡଳୀ ଏହାର ଦାୟିତ୍ୱରେ ରହିବ । ଏହି ମଣ୍ଡଳୀ ଏହାର ଦୈନନ୍ଦିନ କାର୍ୟ୍ୟ ପରିଚାଳନା କରିବ । ଏଥିରେ ବିଭିନ୍ନ ବିଭାଗ ଓ କ୍ଷେତ୍ରର ପ୍ରଖ୍ୟାତ ପେସାଦାର ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରାଯିବ। ଏନ୍‌ଆରଏଫର ପରିସର ବ୍ୟାପକ ହୋଇଥିବାରୁ ଏବଂ ଏଥିରେ ଦେଶର ସବୁ ମନ୍ତ୍ରଣାଳୟର ସମ୍ପୃକ୍ତି ରହୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପଦପ୍ରଯୁକ୍ତ (ଏକ୍ସ ଅଫିସିଓ) ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିବେ । ସେହିଭଳି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ଏକ୍ସ ଅଫିସଓ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବେ । ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ୟ୍ୟନିର୍ବାହୀ ପରିଷଦ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରିବ ।

ଏହି ସଂସ୍ଥା ଉଦ୍ୟୋଗ, ଶିକ୍ଷାବିତ୍‌, ଶିକ୍ଷାନୁଷ୍ଠାନ, ଉଦ୍ୟୋଗପତି, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବ । ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କାର୍ୟ୍ୟରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍‌ଦର୍ଶନ ଦେବ । ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ନିୟାମକ ଭୂମିକା ନିର୍ବାହ କରିବ । ଏହି ବିଲ୍ ପାରିତ ହେଲେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଓ ଇଞ୍ଜିନିୟିରିଂ ଗବେଷଣା (ଏସ୍‌ଇଆରବି) ବୋର୍ଡ ଅବସାନ ଘଟିବ ଏବଂ ସେହି ପୁରୁଣା ନିୟମ ଅଚଳ ହୋଇଯିବ । ଏମ୍‌ଇଆରବିର ସମସ୍ତ କାର୍ୟ୍ୟ ଏନ୍‌ଆର୍‌ଏଫକୁ ହସ୍ତାନ୍ତରିତ ହେବ ।

jay balangir
Leave A Reply

Your email address will not be published.

eleven + sixteen =