pakka

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସର ନିଷ୍କ୍ରିୟତା ବିରୋଧରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ

bbehera
  • ଧାରଣା ସ୍ଥଳରେ ତିନି ଧାରାଣାକାରୀ ଅସୁସ୍ଥ
  • ବିଜେଡିର ବେଣିବନ୍ଧନରେ ବନ୍ଧା ପାଟଣାଗଡ଼ ପୋଲିସ : କୋଶଳ ମୁକ୍ତି ମୋର୍ଚ୍ଚା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କନିଷ୍ଟ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ ଗିରଫ କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସର ନିଷ୍କ୍ରିୟତା, ଅପାରଗତା ଯୋଗୁଁ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଏନେଇ ପାଟଣାଗଡ଼ର କୋଶଳ ମୁକ୍ତି ମୋର୍ଚ୍ଚା ଓ ପାଟଣାଗଡ଼ ସରପଞ୍ଚ ସଂଘ ପକ୍ଷରୁ ହତ୍ୟାକାରୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳିନାହିଁ । ଦିନକୁ ଦିନ ପାଟଣାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ତାର ପ୍ରତିବାଦରେ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ସ୍ଥାନୀୟ ଗଡ ଭିତରରୁ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭାରେ ପୋଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ‘ପାଟଣାଗଡ଼ ପୋଲିସ ହାଏ ହାଏ’, ‘ଜେଇ ହତ୍ୟାକାରୀଙ୍କଠାରୁ କେତେ ଲାଞ୍ଚ ଖାଇଛ ପାଟଣାଗଡ଼ ଏସ୍‌ଡିପିଓ ଜବାବ ଦିଅ’, ‘ପାଟଣାଗଡ଼ ଏସ୍‌ଡିପିଓ ଡାଉନ ଡାଉନ୍’, ଆଦି ବିଭିନ୍ନ ନାରାବାଜି ଦେଇଥିଲେ । ଧାରଣା ସ୍ଥଳକୁ ଥାନାର ସେକେଣ୍ଡ ଅଫିସର ଆସି ଷ୍ଟେଣ୍ଡ ନ କରିବା ପାଇଁ ମନା କରିବାରୁ ସେଠାରେ କିଛି ସମୟ ପର୍ଯ୍ୟନ୍ତ ପୋଲିସ ଓ ଧାରଣାକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଆନ୍ଦୋଳନକାରୀମାନେ ପ୍ରଚଣ୍ଡ ଖରାରେ ବସି ଧାରାଣା ଦେଇ ପୋଲିସ ବିରୁଦ୍ଧରେ ନାରାବାଜି ସହ ବିଜେଡି ଦଳର ଚାପରେ ରହି ତଦନ୍ତ ଆଗେଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ପରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।ଆନ୍ଦୋଳନକାରୀ କହିଛନ୍ତି ଯେ, ଏହା ଏକ ଠିକା କାମକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ କେବଳ କେତେଜଣଙ୍କୁ ଡାକି ପଚରାଉଚରା କରି ଛାଡି ଦେଇଥିବାରୁ ପୋଲିସ ସନ୍ଦେହ ପ୍ରତି ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପୋଲିସ ଧାରଣାରତ ଲୋକଙ୍କୁ ପରିସରରେ ମନା କରିବାରୁ ଟାଣ ଖରାରେ ଧାରାଣା ଦେବାରୁ କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ଅଚ୍ୟୁତ ସିପୁନ ଖମାରି ରଞ୍ଜିତ ବରିହା ଓ ଜଣେ ମହିଳା କର୍ମ୍ମୀ ସରସ୍ୱତୀ ବରିହା ଅଚେତ ହୋଇଥିଲେ ପରେ ୩ ଜଣଙ୍କୁ ପୋଲିସ ଗାଡ଼ିରେ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଏହି ଧାରଣାରେ ଡିଙ୍ଗର କୁମ୍ଭାର, ଚଙ୍ଗରିଆ ସରପଞ୍ଚ ସୁଶୀଳ କୁମାର ଗୁରୁ, ଧୂମାଭଟା ସରପଞ୍ଚ ବନମାଳୀ ନାୟକ, ଗିରିଧାରୀ ଭୋଇ, ଅଚ୍ୟୁତ ସିପୁନ ଖମାରୀ, ଚୁଡାମଣି ଧରୁଆ, ରଞ୍ଜିତ ସାହୁ, ଦୁଃଖନାସନ ସାହୁ, ସୁରେନ୍ଦ୍ର ସାହୁ, ସଦାନନ୍ଦ ବାଗ, ଘନଶ୍ୟାମ ବରିହା, ତୁଳସୀରମ ବରିହା, ଲଷ୍ମୀ ଶବର, ଗଦି ବରିହା, ସୁକାନ୍ତି ବରିହା, ସୁଦାମ ବରିହା, ଧୁବଲେଶ୍ବର ଭୋଇ, ନେପୁର ବରିହା, କୀର୍ତ୍ତନ ପୁଟେଲ, ଜନାର୍ଦନ ସିଂ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ପରେ ଧାରାଣା ସ୍ଥଳକୁ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ ସାହୁ, ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ହତ୍ୟାକାରୀକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ଅଡି ବସିଥିଲେ । ଧାରଣା ସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପୋଲିସ ଉଚ୍ଚ ପଦାଧିକାରୀ ଓ ପ୍ରଶାସନ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.

1 × 1 =