ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବଲାଙ୍ଗିରର ୧୨ତମ ଇ-ପାଠ୍ୟଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବଲାଙ୍ଗିରର ୧୨ତମ ଇ- ପାଠ୍ୟଚକ୍ର ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ଭାର୍ଚୁଆଲ ମୋଡରେ ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଂରାଜୀ ପ୍ରଫେସର ଡ.କାମଦେବ ସାହୁ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଓ ସମକାଳୀନ ଚିନ୍ତନ ଉପରେ ଆଲୋକପାତ କରିଥିଲେ । ସେ ପରମହଂସଙ୍କ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷଙ୍କ ବହୁମୁଖୀ ଚିନ୍ତାଧାରା ବିଷୟରେ ଜନସମାଜକୁ ଅବଗତ କରିଥିଲେ । ବିବେକାନନ୍ଦଙ୍କ ଆଦର୍ଶରେ ଦେଶର ମହାନ୍ ବ୍ୟକ୍ତିତ୍ଵଗଣ ତଥା ବାଲ ଗଙ୍ଗାଧର ତିଲକ ତଥା ନେହେରୁ, ଗାନ୍ଧୀଙ୍କୁ ମଧ୍ୟ କିପରି ଅନୁପ୍ରାଣିତ କରିଥିଲା ତାହା ଦର୍ଶାଇ ଥିଲେ । ଏହି ପରିପ୍ରେକ୍ଷୀରେ ଡ. ଛାୟାକାନ୍ତ ଷଡ଼ଙ୍ଗୀ ତାଙ୍କ ସଭାପତିତ୍ୱ ଭାଷଣରେ ଦେଶର ସ୍ଵାଧୀନତା ଅନ୍ତରାଳୟରେ ସ୍ୱାମୀଜୀଙ୍କ ଭୂମିକାକୁ ଉପସ୍ଥାପନା କରିଥିଲେ । ସଭାରେ ସେବା ମନୋଭାବ ରହିବା ସହିତ ଉତ୍ତମ ଚିନ୍ତନ ମାଧ୍ୟମରେ ଲୋକଙ୍କ ଭିତରେ ଯେଉଁ ଲୋଭ, ଇର୍ଷା, ସ୍ବାର୍ଥ, ପରଶ୍ରିକାତରତା ସୃଷ୍ଟି ହେଉଛି ତାହା ଦୂର କରିବା ପାଇଁ ଯୁକ୍ତିପୂର୍ଣ୍ଣ ପ୍ରସ୍ତାବ ଗୁଡିକ ରହିଥିଲା । ଏହି ମହାନ୍ କାର୍ଯ୍ୟକ୍ରମକୁ ଡିଗ୍ରୀ କଲେଜ କୁଶଙ୍ଗର ଛାତ୍ର ଶିବାଶିଷ ମିଶ୍ର ସଂଯୋଜନା କରିଥିବା ବେଳେ ଚିନ୍ତାମଣି ଦାସ ମନ୍ତ୍ର ପାଠ କରିଥିଲେ ଏବଂ ଚିନ୍ମୟୀ ମୁଦୁଲି ବିବେକବାଣୀ ପଠନ କରିଥିଲେ । ଏହା ବ୍ୟତୀତ ଜାଗୃତି ଗଡ଼ତ୍ୟାଙ୍କ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତିପାଠ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଥିଲା । ଏହି ଆଧ୍ୟାତ୍ମିକ ସଭାରେ ରାଜ୍ୟର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଜ୍ଞାନୀ, ଗୁଣୀ, ଗବେଷକ ତଥା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସଭାଟି ସଫଳ ଭାବେ ସମ୍ପୂର୍ଣ୍ଣ ହୋଇଥିବା ସହିତ ସମାଜ ପାଇଁ ଏକ ଯୁଗାନ୍ତକାରି ବାର୍ତ୍ତା ଥିଲା ।

Leave A Reply

Your email address will not be published.