ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୨୨୦ ଅଭିଯୋଗ ଦରଖାସ୍ତ ଗ୍ରହଣ
  • ତୁରନ୍ତ ସମାଧାନ ହେଲା ୧୩୮ ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଭିଡ କଟକଣା ହେତୁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୨୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧୩ ଗୋଟି, ସାମୁହିକ ଦରଖାସ୍ତ ୦୬ ଗୋଟି ରହିଥିବା ବେଳେ ୦୧ ଟି ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସାହାଯ୍ୟ ନିମନ୍ତେ ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ୨୨୦ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୧୩୮ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୮୩ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଦୀର୍ଘ ଦିନରୁ ସ୍ଥଗିତ ଥିବା ଏହି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଯୋଗଦାନ ଉତ୍ସାହଜନକ ରହିଥିବା ଦେଖିବାକୁ ମିଳିଛି । ବିଡିଓ, ବିନିକା ବ୍ୟାସଦେବ ବେହେରାଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପିଡି.ଡି.ଆର.ଡି.ଏ- ଡୋଳାମଣି ପଟେଲ, ଉପ ଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଆସନ୍ତା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ତା: ୨୫/୦୪/୨୨ ସୋମବାର ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

Leave A Reply

Your email address will not be published.

error: Content is protected !!