ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ମଜୁରି ଦେବାରେ ଦେଢ଼ ବର୍ଷ ବିଳମ୍ବ ହୋଇଥିବା ଅଭିଯୋଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳର ବିକାଶ ପାଇଁ ଚାଲୁଥିବା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ସରକାର ଉଚ୍ଚ ସ୍ୱରରେ ଉପସ୍ଥାପିତ କରୁଛନ୍ତି ଦେଶର ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଗରିବଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ । ଅନେକ ଶ୍ରମିକ ଅନ୍ୟାନ୍ୟ କାମ କରିବାକୁ ବାଧ୍ୟ ହେବା ସହିତ ବାହାର ରାଜ୍ୟକୁ ଦାଦନ ଖଟି ଯିବାର ଦୃଶ୍ୟ ବାରମ୍ବାର ନଜର ସାମ୍ନାକୁ ଆସୁଛି । ଶ୍ରମିକମାନେ ମନରେଗା ଅଧୀନରେ କାମ କରି ବର୍ଷ ବର୍ଷ ଧରି ତାଙ୍କର ମଜୁରୀ ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ ମଜୁରୀ ନମିଳିବାରୁ ମନରେଗାର କର୍ମଚାରୀ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏମିତିକି ସେମାନେ ତାଙ୍କର ପ୍ରାପ୍ୟକୁ ଅନେଇ ଅନେଇ ମୃତ୍ୟୁ ବରଣ କରିସାରିଲେଣି କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମରେ । ସୂଚନାଯୋଗ୍ୟ ଯେ, ଝାଙ୍କରପାଲି ଗ୍ରାମରେ ମନରେଗା ଯୋଜନାର ୨୦୨୦-୨୧, ୨୦୨୧-୨୨ ଆର୍ଥିକ ବର୍ଷରେ ତୁର୍ଲା ଧର୍ଷା ମାଟିକାମ, ଗୁଲାମୁଣ୍ଡା ଗୌଚର ରାସ୍ତା କାମ, ଛୁଟିଗୁଡ଼ି ରାସ୍ତା କାମ, ଝାଙ୍କରପାଲି ସ୍ଥିତ ସମଲେଇ ମନ୍ଦିର ପାଖ ମାଟିକାମ, ଗୌଚର ନାଲାର ପୁନଃରୁଦ୍ଧାର କାମ ଗୁଡିକ ହୋଇଥିଲା । ଏହି ସବୁ କାମରେ ନିଯୁକ୍ତି ହୋଇ କାମ କରିଥିବା ଶ୍ରମିକ ମାନଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କର ମଜୁରୀ ମିଳିନାହିଁ ବୋଲି ଅଭିଯୋଗ ହେଉଛି । ଉକ୍ତ କାର୍ଯ୍ୟରେ ନିଯୁକ୍ତି ହୋଇ କାମ କରିଥିବା ଶ୍ରମିକ କପିଳ ସାହୁଙ୍କର ମୃତ୍ୟୁ ହୋଇ ୧୦ ମାସ ବିତିଯାଇଥିଲେ ମଧ୍ୟ୍ୟ ତାଙ୍କର ମଜୁରୀ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ମିଳିନାହିଁ ବୋଲି ତାଙ୍କ ପୁତ୍ର ମଙ୍ଗଳୁ ସାହୁ ଅଭିଯୋଗ କରିଛନ୍ତି । ଗ୍ରାମର ପଚାଶରୁ ଅଧିକ ଶ୍ରମିକ ମାନେ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି ବୋଲି କହିଛନ୍ତି । କାହିଁକି ସେମାନେ ତାଙ୍କର ମଜୁରୀ ପାଇ ନାହାନ୍ତି ପଚାରିବାରୁ ଶ୍ରମିକମାନେ କହିଛନ୍ତି ତତ୍କାଳୀନ ଜିଆର୍‌ଏସ୍‌, ଗାଁ ସାଥୀ ସମସ୍ତେ ମିଶି ତାଙ୍କ ମଜୁରୀ ଆତ୍ମସାତ କରିଛନ୍ତି ବୋଲି କହିଛନ୍ତି । ଝାଙ୍କରପାଲି ଗ୍ରାମର ଶ୍ରମିକମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ କଥା ପ୍ରଶାସନ ଶୁଣିନାହିଁ, ବିଭିନ୍ନ ଆଳ ଦେଖାଇ ଘରକୁ ଫେରେଇ ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ମଜୁରୀ ମିଳିବାରେ ଏତେ ବିଳମ୍ବ କାହିଁକି ହୋଇଅଛି ବୋଲି ଏ ବିଷୟରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଥିଲେ କିଛି ଟେକ୍ନିକାଲ ଫଲ୍ଟ ଯୋଗୁଁ ଶ୍ରମିକ ମାନେ ତାଙ୍କର ମଜୁରୀ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି ବୋଲି କହିଥିଲେ । ସୂଚନା ଥାଉ କି ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଯଦି ପ୍ରଶାସନକୁ ଦେଢ଼ ବର୍ଷ ଲାଗୁଛି ତାହେଲେ ଶ୍ରମିକମାନେ କରିବେ କଣ ? ଏମିତି ପରିସ୍ଥିତିକୁ କଣ କୁହାଯିବ ପ୍ରଶାସନର ନିଷ୍କ୍ରିୟତା ନା ଆଉ କଣ ବୋଲି ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.

error: Content is protected !!