ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି, ସନ୍ଦେହ ଘେରରେ ସମବାୟ ବିଭାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ବିଭାଗ ଅଧିନ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଗୁଡିକରେ ଗତ ଛଅ ମାସ ତଳେ ସହକାରୀ ସମ୍ପାଦକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା । ତେବେ ଏହି ନିଯୁକ୍ତିରେ ସେତେବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଅଧିକ ତଥ୍ୟ ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ଜନୈକ ବ୍ୟକ୍ତି ବଲାଙ୍ଗିର ସମବାୟ ବିଭାଗର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଆବେଦନର ଦୀର୍ଘଦିନ ପରେ ମଧ୍ୟ ଆବେଦନକାରୀଙ୍କୁ କୌଣସି ତଥ୍ୟ ଯୋଗାଇ ଦିଆଯାଇ ନ ଥିବା ଜଣାଯାଇଛି । ତଥ୍ୟ ପ୍ରଦାନ କରାଗଲେ ସମବାୟ ବିଭାଗର ଅନେକ ଗୁମର ଫିଟିବା ସହିତ ବିଭାଗୀୟ ଦୋଷତ୍ରୁଟିକୁ ଲୁଚାଇବାକୁ ଯାଇ ଜାଣିଶୁଣି ସୂଚନା ଦିଆଯାଉ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ଏଥିସହିତ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ମଧ୍ୟ କୌଣସି ତଥ୍ୟ ମିଳି ନଥିବାରୁ ଆବେଦନକାରୀ ରାଜ୍ୟ ତଥା ଜାତୀୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ସୂଚନା ମତେ, ଲୋଇସିଂହା ବ୍ଲକର ଯୋଗୀସର୍ଡା, କୁଶମେଲ, ବୁର୍ଡ।, ଲୋଇସିଂହା, ସରଗାଡ଼, କନ୍ଦାଜୁରୀ ଏବଂ ଆଗଲପୁର ବ୍ଲକର ଭରସୁଜା, ବୁଦୁଲା ଓ ଆଗଲପୁର ସମେତ ଅନ୍ୟାନ୍ୟ ପେକ୍ସ ଗୁଡିକରେ ସହକାରୀ ସମ୍ପାଦକ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି, ସେମାନଙ୍କ ଦରମା ବୃଦ୍ଧି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ନେଇ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହେଉଛି । ନିଜର ପ୍ରଭାବ ବିସ୍ତାର ପୂର୍ବକ ଦାୟିତ୍ୱରେ ଥିବା ସମବାୟ ବିଭାଗ ପ୍ରଶାସକ ସମ୍ପୃକ୍ତ ପେକ୍ସଗୁଡିକ ଉପରେ ଚାପ ପ୍ରୟୋଗ କରି ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଠାରୁ ଅନୁଚିତ ଅନୁଗ୍ରହ ହାସଲ କରିଥିବା ଅଭିଯୋଗ ହେଉଛି । ପେକ୍ସ ଗୁଡିକରେ ଯେ କୌଣସି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଖବରକାଗଜରେ ମଧ୍ୟ ବିଜ୍ଞାପନ ବାହାର କରାଯିବା ନେଇ ସରକାରୀ ପ୍ରାବଧାନ ରହିଥିବା ବେଳେ ଏଠାରେ ସମସ୍ତ ନୀତି ନିୟମକୁ ଉଲଂଘନ କରାଯାଇ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ପେକ୍ସ ପରିଚାଳନା ସମିତି ଗୁଡିକର କାର୍ଯ୍ୟକାଳ ସରି ଯାଇଥିବା ବେଳେ ଦାୟିତ୍ୱରେ ଥିବା ପ୍ରଶାସକ ଜଣକ ଏହି ନିଯୁକ୍ତି ଜରିଆରେ ଲକ୍ଷାଧିକ ଟଙ୍କା ହାତେଇଥିବା ଚର୍ଚ୍ଚା ହେଉଛି । ଏହି ବେଆଇନ ନିଯୁକ୍ତି ଅଭିଯୋଗ ବାବଦରେ ସମବାୟ ବିଭାଗ ବଲାଙ୍ଗିର ମଣ୍ଡଳର ସହକାରୀ ନିବନ୍ଧକ (ଏଆର୍‌ସିଏସ୍‌) ପ୍ରଭାକର ନାଏକଙ୍କୁ ପଚାରିବାରେ ” ଏହିସବୁ ନିଯୁକ୍ତି ମୋ କାର୍ଯ୍ୟକାଳ ସମୟରେ ହୋଇନାହିଁ, ତଥାପି ଏହାର ତଦନ୍ତ କରିବି” ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ବତନ୍ତ ଭାବେ ଦୃଷ୍ଟି ଦେଇ ସମବାୟ ବିଭାଗରେ ସ୍ୱଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.