
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ମଙ୍ଗଳବାର ତୃତୀୟ ପାଳି ଅବସରରେ ସରସ୍ବତୀ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୋମବାର ରାତି ସାଢେ ୧ଟାରେ ମନ୍ଦିର ଦ୍ୱାର ଫିଟା ପରେ ଦେବୀଙ୍କ ବିଧିବଦ୍ଧ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଅବକାଶ ନୀତି, ମଙ୍ଗଳ ଆଳତି, ମାଜଣା ହୋଇ ଦେବୀଙ୍କ ବେଶ ଭୂଷଣରେ ସଜାଇ ଭୋର ସାଢେ ୪ଟାରେ ସାହାଣମେଳା ହୋଇଥିଲା । ଷୋଡଶ-ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଆଜି ମା’ତାରାତାରିଣୀ ସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ରାଜସ୍ବ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏହି ପବିତ୍ର ପୀଠରେ ଯୋଗଦେଇ ସ୍ୱତନ୍ତ୍ର ଭାବେ ମା’ଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା । ଶିଶୁରକ୍ଷା ଓ କଲ୍ୟାଣର ଅଧିକାରିଣୀ ବୋଲି ଅନେକ ମାନସିକଧାରୀ ନିଜନିଜର ସନ୍ତାନ ସନ୍ତତିଙ୍କ ତଥା ପିଲାଙ୍କ ମୁଣ୍ଡନ କରାଇଥିଲେ । ତୃତୀୟ ପାଳିରେ ମା’ଙ୍କ ଅପୂର୍ବଦର୍ଶନ ପାଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମା’ଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ୧୫ଟି ବସ୍ର ବ୍ୟବସ୍ଥା ହୋଇଥିଲା ।
ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଧ୍ରୁବ ଚରଣ ରଣାଙ୍କ ସମେତ ସମସ୍ତ ସେବାୟତ ମା’ଙ୍କ ପୂଜାର୍ଚ୍ଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।