ସୁବର୍ଣ୍ଣପୁରରେ ଚାଲିଥିବା ତିନି ଦିନିଆ ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଫକୀର ପଟ୍ଟନାୟକ ମୁକ୍ତମଂଚରେ ଚାଲିଥିବା ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବର ତୃତୀୟ ଦିନ ତଥା ଶେଷ ସାଂସ୍କୃତିକ ସଂଧ୍ୟାରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଜନଜାତିର ନୃତ୍ୟଗୀତ ପରିବେଷିତ ହୋଇଛି । ଏହି ସାଂସ୍କୃତିକ ସଂଧ୍ୟାରେ କୋରାପୁଟର ଡଙ୍ଗରିଆ ଓ ପରଜା, ଫୁଲବାଣୀର ଡାକୁଲା, ବରଗଡର ଡଣା ଓ କରମା, ଗଜପତିର ଲାଞିଆ ସଉରା ସହ ମାଲକାନଗିରିର କୋୟା ନୃତ୍ୟର ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରିଛନ୍ତି । ଅନ୍ତିମ ଦିନର ମଂଚରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରେସ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ନିଶି ପୁନମ ମିଞ୍ଜ ଓ ବିଶିଷ୍ଟ ଅତିଥି ଭାବେ ଜର୍ମାନୀର ସଂସ୍କୃତି ଭାଷା ଗବେଷିକା ପ୍ରଫେସର ଅଲ୍ରେରିକ୍ ଜେସାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଦିବାସୀ ଜନଜାତିର ଜୀବନ ଶୈଳୀ, ପର୍ବ ପର୍ବାଣୀ ଓ ନୃତ୍ୟଗୀତରେ ପ୍ରକୃତି ଓ ପରିବେଶ ଏବଂ ନିଚ୍ଛକ ଜୀବନ ଦର୍ଶନ ଭରି ରହିଛି ବୋଲି କହିଥିବା ବେଳେ ଆଦିବାସୀ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଉଦ୍‌ଯାପନୀ ପର୍ବରେ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ସଂଯୋଜନାରେ ଚାଲିଥିବା ଡଙ୍ଗର ମହୋତ୍ସବର ନୃତ୍ୟଗୀତକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।

Leave A Reply

Your email address will not be published.