ବଜ୍ରକପ୍ତା ଚୋରା ଚାଲାଣ ବେଳେ ବାପ ପୁଅ ସହ ୩ ଗିରଫ : ଗ୍ରାହକ ସାଜି ବନବିଭାଗର ଚଢାଉ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଚଢାଉ କରି ବାପ ପୁଅ ସହ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବୋଡ଼େନ ବ୍ଲକ ମାକରବିର୍ଲି ଗ୍ରାମର ମିନ ବାଗ (୫୪) ଓ ପୁଅ ଯମୁନା ପ୍ରାସାଦ ବାଗ (୨୨) ହୋଇଥିବା ବେଳେ ମହୁଲପଡା ଗ୍ରାମର ପୁର୍ଣ୍ଣ ମାଝି (୩୦) ବୋଲି ଜଣାପଡ଼ିଛି । ଏମାନଙ୍କ ଠାରୁ ପ୍ରାୟ ୧୦ କିଲୋଗ୍ରାମର ବାଜ୍ରକାପ୍ତା ଓ ଓଆର୍‌୨୬ଏ୧୬୩୬ ନମ୍ବର ଧଳା ବୋଲେରୋ ଗାଡ଼ି ଜବତ କରାଯାଇଥିବା ସିନାପାଲି ବନ ଅଧିକାରୀ ବିମଳ ପ୍ରକାଶ, ଟପୋନୋ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବନ ଅଧିକାରୀ ବିମଳ ପ୍ରକାଶ ଟପ୍ନୋ ମାକରବିର୍ଲି ଗ୍ରାମରେ ବଜରକାପ୍ତା ଥିବା କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ବନବିଭାଗର ଫରେଷ୍ଟର ଖଗେଶ୍ୱର ମାଝି ଓ ଅନ୍ୟ କର୍ମଚାରୀମାନଙ୍କୁ ନିୟୋଜିତ କରି ଜାଲ ବିଛାଇଥିଲେ । ପ୍ରଥମେ ଗ୍ରାହକ ସାଜି ସେଠାକୁ ଫୋନ କରିଥିଲେ । ପରେ ବୋଡ଼େନ ବ୍ଲକର କରଙ୍ଗାମାଲ ଦେଇ ମହୁଲପଡା ଯିବା ରାସ୍ତାରେ ଥିବା କହିଥିଲେ । ଅଭିଯୁକ୍ତ ମାନେ ଏକ ବୋଲେରୋ ଗାଡ଼ିରେ ବାଜରକାପ୍ତା ଧରି ଆସିଥିବା ବେଳେ ସେଠାରେ ଚଢାଉ କରି ଗିରଫ କରି ସିନାପାଲି ରେଞ୍ଜ ଅଫିସକୁ ଆଣି ଅଧିକା ପଚରା ଉଚରା ଚାଲୁଥିବା ଜଣାପଡ଼ିଛି । ଏମାନଙ୍କୁ ଡ଼ାକ୍ତରୀ ପରୀକ୍ଷା କରାଯାଇ ଅଟକ ରଖାଯିବା ସହ ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ ଜାରୀ ରହିଛି । ପୂର୍ବରୁ ସିନାପାଲି ବନ ବିଭାଗ ବାଘ ଛାଲ ସହ ହାତୀ ଦାନ୍ତ, ନଖ ଜବତ କରି ଚର୍ଚ୍ଚାରେ ରହିଥିବା ବେଳେ ପୁଣି ଏକ ବଜ୍ରକାପ୍ତା ଜବତ କରିବା ଘଟଣା ଚର୍ଚ୍ଚାରେ ରହିଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହି ଗ୍ରାମ ରହିଥିବାରୁ ଏହି ଚୋରା ଚାଲାଣ ଦିଗରେ ଅନେକ ଲିଙ୍କ ରହିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.