ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଶନିବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନଂ. ଜିଲ୍ଲା ପରିଷଦ ଜୋନ ଅଧିନ ସୁଜନପୁର ପଞ୍ଚାୟତର ସରପଞ୍ଚ ପଦବୀ ଫଳାଫଳ ଘୋଷଣା ହେବାପରେ ସମଗ୍ର ପଞ୍ଚାୟତରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇବା ସହ ପଞ୍ଚାୟତବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୁଜନପୁର ଗ୍ରାମ ପଞ୍ଚାୟତ ଡେଲାଙ୍ଗ ବ୍ଲକର ହେଡକ୍ୱାଟର ପଞ୍ଚାୟତ ହୋଇଥିବା ବେଳେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇରହିଥିଲା । ଏହି ପରିପ୍ରେକ୍ଷୀରେ ସୁଜନପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ପ୍ରିୟଙ୍କା ବଳବନ୍ତରାୟ ସରପଞ୍ଚ ଭାବେ ନିର୍ବାଚିତ ହୋଇ ବାଜିମାତ କରିଥିବା ନେଇ ନିର୍ବାଚନ ଅଧିକାରୀ ଦିଲ୍ଳୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ପ୍ରିୟଙ୍କା ସମୁଦାୟ ୧୨୦୮ ଖଣ୍ଡ ଭୋଟ ପାଇ ସୁଜନପୁର ପଞ୍ଚାୟତର ସରପଞ୍ଚ ଆସନ ଦାଖଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କିଶୋର କୁମାର ଦାଶ ୮୬୮ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । ଅନ୍ୟତମ ପ୍ରାର୍ଥୀ ପ୍ରକାଶ କୁମାର ସାମନ୍ତସିଂହାର ୭୩୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ ସୁଜନପୁର ପଞ୍ଚାୟତର ସର୍ବାଙ୍ଗୀନ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ପ୍ରାଧାନ୍ୟ ଦେବା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଗମନାଗମନ ସୁବ୍ୟବସ୍ଥିତ କରିବା ଓ ଦୁର୍ନୀତି ମୁକ୍ତ ଆଦର୍ଶ ପଞ୍ଚାୟତ ଗଠନ କରିବା ଦିଗରେ ଅହରହ କାର୍ଯ୍ୟ କରିବେ ବୋଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ବଳବନ୍ତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।