ଭଦ୍ରକ ଜିଲ୍ଲା ସାମ୍ବାଦିକ ପ୍ରଭାକର ନାୟକଙ୍କ ଅକାଳ ବିୟୋଗ

• ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀରଶୋକ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଦ୍ରକ ଜିଲ୍ଲା ସାମ୍ବାଦିକ ପ୍ରଭାକର ନାୟକ (୩୬)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଶେଷ ନିଦ୍ରାରେ ଶୋଇଗଲେ ଯୁବ ସାମ୍ବାଦିକ ତଥା ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ପ୍ରଭାକର ନାୟକ । ୩୬ ବର୍ଷ ବୟସରେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଆଜି ସକାଳେ ସମସ୍ତଙ୍କୁ ଛାଡି ଅଫେରା ରାଇଜର ବାଟୋଇ ହୋଇ ରହିଗଲେ ପ୍ରଭାକର । ଏଇ କିଛିଦିନ ଧରି କିଡିନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଗତକାଲି ରାତିରେ ପୁଣି ହଠାତ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ଭଦ୍ରକ ଏବଂ ପରେ କଟକ ନେବା ରାସ୍ତାରେ ତାଙ୍କର ଦେହାନ୍ତ ହୋଇଥିଲା । ବାପି ନାମରେ ସେ ବେଶ୍‌ ପରିଚିତ ଥିଲେ । ଅତି ସ୍ନେହୀ ଏବଂ ମିଷ୍ଟଭାଷୀର ମଣିଷଟିଏ ଥିଲେ । ସମସ୍ତଙ୍କୁ ବହୁ ଜଲଦି ନିଜର କରିବା ଏବଂ କାହାର ଦୁଃଖ ଦେଖିଲେ ସାହାଯ୍ୟ ଏବଂ ସହଯୋଗର ହାତ ବଢ଼େଇବା ହିଁ ତାଙ୍କର ପରିଚୟ ଥିଲା । ଭଦ୍ରକ ଜିଲ୍ଲାରେ ଗଢି ଉଠିଥିବା ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନ୍‌ର ସେ ଥିଲେ ମୁଖ୍ୟ କର୍ଣ୍ଣଧାର । ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଭାବେ ନିଜର ଦାୟିତ୍ବକୁ ସୂଚାରୁ ରୂପେ ତୁଲେଇବା ସହ ସଙ୍ଘର ଉନ୍ନତି ପାଇଁ ସବୁବେଳେ ଚେଷ୍ଟିତ ଥିଲେ । ହେଲେ ଆଜିର ଏ ଅକାଳ ବିୟୋଗରେ ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନ୍‌ର ସଭାପତି ମହେଶ କୁମାର ମିଶ୍ର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ।

Leave A Reply

Your email address will not be published.