jayashree

ପ୍ରଦୀପ ମହାରଥୀ ଗ୍ରାମ୍ୟ ପାର୍କ ଓ ପାଠାଗାର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଲିପଡା ଗ୍ରାମ ପଞ୍ଚାୟତ ହୁମରଠାରେ ପ୍ରଦୀପ ମହାରଥୀ ଗ୍ରାମ୍ୟ ଉଦ୍ୟାନ (ପାର୍କ) ଓ ପାଠାଗାରକୁ ଗତକାଲି ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ କରକମଳରେ ଲୋକାର୍ପିତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା ସଭାପତିତ୍ଵ କରିଥଲେ । ମନ୍ତ୍ରୀ ସୁଶାନ୍ତ ସିଂ ସହ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସ୍ଥାନୀୟ ବିଧାୟକ ରୂଦ୍ରପ୍ରତାପ ମହାରଥୀ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଡେଲାଙ୍ଗ ଆତ୍ମା ଅଧ୍ୟକ୍ଷ ସୁଧାକର ମାର୍ଥା, ପିପିଲି ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ସମିତି ସଭ୍ୟ ବାସୁଦେବ ଜେନା, ପ୍ରଭାତ ଜେନା, ସରପଞ୍ଚ କାଳନ୍ଦୀ ଜେନା, ଯୁବନେତା ନାରୟଣ ସ୍ବାଇଁ, ଦୁର୍ବାଶା ନିଶଂକ, କିଶୋର ଛୋଟରାୟ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ମନ୍ତ୍ରୀ, ବିଧାୟକମାନେ ପାର୍କ ଦେଖି ଭୂୟସୀ ପ୍ରଶଂସା କରିଥିଲେ, ଏହା ପୁରୀ ଜିଲ୍ଲାର ଏକ ନମ୍ଵର ସୌନ୍ଦର୍ଯ୍ୟ ଗ୍ରାମ୍ୟ ଉଦ୍ୟାନ କହିଥିଲେ । ମନ୍ତ୍ରୀ ଶ୍ରୀ ସିଂ ଏହି ପାର୍କ ମଧ୍ୟରେ ଥିବା ପୁଷ୍କରଣୀରେ ଜଳବିହାର ଓ କ୍ରୀଡ଼ା ପାଇଁ ଚାରୋଟି ବୋଟ ସହ ଲାଇଫ ଜ୍ୟାକେଟ ତୁରନ୍ତ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଏଥି ସହିତ ସାତ ହାଜର ଶ୍ରମ କାର୍ଡ ପ୍ରଦାନ ସହ ମନ୍ତ୍ରୀ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ବିଧାୟକ ଶ୍ରୀ ମହାରଥୀ ପାର୍କର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତି ପାଇଁ ବିଧାୟକ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଡେଲାଙ୍ଗ ଓ ପିପିଲିର ସର୍ବାଙ୍ଗୀନ ଉନ୍ନତି ଓ ଲୋକ କଲ୍ୟାଣ ଯୋଜନା ଗୁଡ଼ିକ ସଫଳ ହୋଇପାରିବା ପାଇଁ ବିଧାୟକ ଶ୍ରୀ ମହାରଥୀ ଜାଗ୍ରତ ପ୍ରହରୀ ଭାବେ କାମ କରୁଛନ୍ତି । ଶେଷରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.