କ୍ରାଇମ ହବ୍‌ ପାଲଟିଲାଣି ବଲାଙ୍ଗିର : ନିଶା ମାଫିଆଙ୍କ ରାଜ୍‌ ଓ ଖୋଲମ୍‌ଖୋଲା ହତ୍ୟାକାଣ୍ଡରେ ଆତଙ୍କିତ ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ ବଢିବାରେ ଲାଗିଛି ବଲାଙ୍ଗିର ସହର, ତା’ ସହ ବଢ଼ି ଚାଲିଛି ଅପରାଧ । ଏପରିକି ଦିନକୁ ଦିନ କ୍ରାଇମ ହବ୍‌ ପାଲଟିବାକୁ ଲାଗିଲାଣି ବଲାଙ୍ଗିର ସହର । ଯୁଆଡେ ଦେଖିଲେ ଅପରାଧ, ଯୁଆଡେ ଦେଖିଲେ ନିଶା କାରବାର । ପୋଲିସ ଦିନ ରାତି ସହରରେ ଘୁରି ବୁଲୁଛି, କିନ୍ତୁ ଅପରାଧ କମିବାର ନାଁ ନେଉନାହିଁ । ନିଜକୁ ଅସୁରକ୍ଷିତ ମଣିଲେଣି ସହରବାସୀ । ନିଶା ମାଫିଆଙ୍କ ରାଜ୍‌ ଓ ଖୋଲମ୍‌ଖୋଲା ହତ୍ୟାକାଣ୍ଡରେ ଆତଙ୍କିତ ଏବେ ସହର । ଗୋଟିଏ ପଟେ ସହରରେ ଅପରାଧୀଙ୍କୁ ରୋକ୍‌ ଦିଆଯିବା ନେଇ ପୋଲିସ ଅଂଟା ଭିଡ଼ୁଥିବା ବେଳେ ଅନ୍ୟପଟେ ଅପରାଧୀ କେଉଁଠି ବେଧଡ଼କ୍‌ ହତ୍ୟା ଭିଡିଓ ଭାଇରାଲ କରୁଛି, ତ’ କେଉଁଠି ଘରକୁ ପଶି ଘଟାଉଛି ଲୋମହର୍ଷଣକାରୀ ବର୍ବର ହତ୍ୟା । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟେ ଘଟିଥିବା ନୃଶଂସ ହତ୍ୟାକାଣ୍ଡର ଭିଡ଼ିଓ ଭାଇରାଲ୍‌ ହେବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବା ବେଳେ ଗତକାଲି ପୁଣି ସ୍ଥାନୀୟ ଗାନ୍ଧୀନଗରପଡ଼ାର ଜଣେ ନିରୀହ ଯୁବକଙ୍କୁ ଘର ଭିତରକୁ ପଶି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ସେହିପରି କଫ୍‌ ସିରପ୍‌ ମାଫିଆ ମାଳ ମାଳ ପୋଲିସ ହାତରେ ଧରାପଡ଼ୁଥିବା ବେଳେ ଅପରାଧ ଥମିବାର ନାଁ ନେଉନାହିଁ । ତେବେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ଆହୁରି କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.