କରୋନା ଯୋଗୁଁ ୨ବର୍ଷ ହେଲା ଖୋଲିନି ପ୍ରଥମରୁ ପଞ୍ଚମ ଶ୍ରେଣୀ : ୨ ବର୍ଷରେ ୧୨୭୨୩ ଛାତ୍ରଛାତ୍ରୀଙ୍କୁ ୧କୋଟି ୨ଲକ୍ଷ ଟଙ୍କାର ପୋଷାକ ବଣ୍ଟନ : ଘରେ ସ୍କୁଲ ପୋଷାକ ପିନ୍ଧୁଛନ୍ତି ଛାତ୍ରଛାତ୍ରୀ
ଦେଓଗାଁ, (ମନୀଷ କୁମାର ସାହୁ) : ୨୦୨୦/୨୧ ଶିକ୍ଷା ବର୍ଷ ଆରମ୍ଭରୁ ସାରା ବିଶ୍ୱରେ କରୋନାର ଭୟ । ଏଥିପାଇଁ ସବୁକିଛି ପ୍ରାୟ ଦେଢ଼ ବର୍ଷ ଧରି ଠପ୍ । ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଗତ ବର୍ଷ ମାର୍ଚ୍ଚ ପ୍ରଥମରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ୨୦୨୧/୨୨ ଶିକ୍ଷା ବର୍ଷରେ ଆସ୍ତେ ଆସ୍ତେ ଅନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି, ତଥାପି ପ୍ରଥମରୁ ପଞ୍ଚମ ପର୍ୟ୍ୟନ୍ତ ଖୋଲାଯାଇନାହିଁ । ହେଲେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲେ ମଧ୍ୟ ସରକାରୀ ସହାୟତାରେ ଆସୁଥିବା ପୋଷାକ ବଣ୍ଟନ ବନ୍ଦ ହୋଇନାହିଁ। ଫଳରେ ବିଭିନ୍ନ ଗାଁରେ ଛୋଟ ଛୋଟ ପିଲାମାନେ ସ୍କୁଲ ପୋଷାକ ପିନ୍ଧି ବୁଲୁଥିବା ଦେଖିବାକୁ ମିଳୁଛି ।
ଦେଓଗାଁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ପାଇଥିବା ତଥ୍ୟ ଅନୁସାରେ, ୨୦୨୦/୨୧ ଶିକ୍ଷା ବର୍ଷରେ ଦେଓଗାଁ ବ୍ଲକର ୧୩୬ଟି ପ୍ରାଥମିକ ବିଦ୍ୟାଳୟରେ ୬୩୮୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଥିଲେ । ସରକାରୀ ଯୋଜନା ଅନୁସାରେ ପ୍ରତି ଛାତ୍ରକୁ ପୋଷାକ ହଳ ପ୍ରତି ୪ଶହ ହିସାବରେ ୨ ହଳ ପୋଷାକକୁ ଆଠ ଶହ ଟଙ୍କା ହିସାବରେ ୫୧ଲକ୍ଷ ୪୮୦୦ଟଙ୍କା । ପୁଣି ୨୦୨୧/୨୨ ଶିକ୍ଷା ବର୍ଷରେ ଏହି ୧୩୬ଟି ପ୍ରାଥମିକ ବିଦ୍ୟାଳୟରେ ୬୩୪୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଥିଲେ । ୨ ହଳ ପୋଷାକକୁ ଆଠ ଶହ ଟଙ୍କା ହିସାବରେ ୫୦ଲକ୍ଷ ୭୩ହଜାର ଟଙ୍କା ମୋଟ ଦୁଇ ବର୍ଷକୁ ୧କୋଟି ୧ ଲକ୍ଷ ୭୭ ହଜାର ୮ ଶହ ଟଙ୍କା ପୋଷାକ ବଣ୍ଟ କରାଯାଇଥିବା ଜଣାପଡ଼ିଛି । ଦୁଇ ଶିକ୍ଷା ବର୍ଷରେ ଦିନେ ମଧ୍ୟ ଶିକ୍ଷାଦାନ ପାଇ ନଥିବାରୁ ଛାତ୍ର,ଛାତ୍ରୀମାନେ ଘରେ ସ୍କୁଲ ପୋଷାକ ବ୍ୟବହାର କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମୋଟ ୧୩୬ଟି ସ୍କୁଲର ଅନେକ ସ୍କୁଲରେ ନିମ୍ନମାନର ପୋଷାକ ଓ କେତେକ ସ୍କୁଲରେ ପୋଷାକ ନ ଦେଇ ଅର୍ଥ ମଧ୍ୟ ବାଟମାରଣାକୁ ନେଇ ଆଶଙ୍କା କରାଯାଉଛି । ଏ ସଂକ୍ରାନ୍ତରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ପୋଷାକ ବଣ୍ଟନ ସରିଛି, ବିଭିନ୍ନ ସ୍କୁଲରୁ ୟୁସି ଆସୁଛି ବୋଲି କହିଛନ୍ତି ।