jayashree

ଧାନ ମଣ୍ଡି ଅପେକ୍ଷାରେ ଚାଷୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ମଣ୍ଡିରେ ବିକ୍ରି କରିବାକୁ ଧାନ କାଟିଦେଲେ ଚାଷୀ, କିନ୍ତୁ କୋଷାଗୁମଡା ବ୍ଲକରେ ନିର୍ଦ୍ଧାରିତ ଦିନରେ ଖୋଲିଲା ନାହିଁ ଧାନ ମଣ୍ଡି । ଏବେ କୋହଲା ପାଗ ଚାଷୀଙ୍କ ନିଦ ହଜେଇ ଦେଇଛି । ଧାନକୁ ସୁରକ୍ଷା ଦେବା ଏବେ ମୁଖ୍ୟ ସମସ୍ୟା ଉପୁଜିଥିବା ବେଳେ ଆଶା ଆଶଙ୍କା ଭିତରେ ରହିଛନ୍ତି ଏବେ ଧାନଚାଷୀ । ଜିଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ରେ ମଣ୍ଡି ଖୋଲାଯିବା ନେଇ ପୂର୍ବରୁ ଚାଷୀଙ୍କୁ ସୂଚନା ଦିଆଯାଇଥିଲା । ବିଗତ ବର୍ଷଗୁଡିକ ଭଳି ଲ୍ୟାମ୍ପ ଓ ନିୟନ୍ତ୍ରିତ ବଜାର କମିଟି, ଯୋଗାଣ ବିଭାଗର ମିଳିତ ସହଯୋଗରେ କୋଷାଗୁମଡା ବ୍ଲକରେ ୬ଟି ଧାନ ମଣ୍ଡି ଖୋଲିବାର କାର୍ଯ୍ୟକ୍ରମ ରହିଥିଲା । ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ସମସ୍ୟା ନେଇ ପ୍ରାୟ ଏକ ମାସରୁ ଅଧିକ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି । ଏଥିଯୋଗୁଁ ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଲ୍ୟାମ୍ପ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଜାରି ରହିଛି । ଏପଟେ ଚାଷୀ ଧାନ ଅମଳ କରି ଜଗି ରହିଛନ୍ତି ମଣ୍ଡି କେବେ ଖୋଲିବ ଏବଂ କେବେ ବିକ୍ରି କରିବ ଏନେଇ ଚିନ୍ତାରେ ଥିବା ବେଳେ କିଛି ଚାଷୀ କୋହଲା ପାଗକୁ ଦେଖି ଏପର୍ଯ୍ୟନ୍ତ ଧାନ ଅମଳ ନ କରି ଖଳାରେ ଧାନ ଗଦା ରଖି ଜଗିରହିଛନ୍ତି । ମଣ୍ଡିରେ ଧାନ ବିକ୍ରି କରି ସରକାରୀ ଦର ଭାବେ ବେଶ ଦୁଇ ପଇସା ପାଇବା ଆଶା ମଉଳି ଯାଇଛି । ଧାନ କିଣାରେ ବିଲମ୍ବ ହେତୁ ଗାଁ ଗହଳିର ଚାଷୀ ବର୍ତ୍ତମାନ ଶାଗ ମାଛ ଦରରେ ଦଲାଲଙ୍କ ହାତରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ କୋଷାଗୁମଡା ଅଞ୍ଚଳରେ ଧାନମଣ୍ଡି ଖୋଲା ଯିବାର ବ୍ୟାବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀଙ୍କ ତରପରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.