- କ୍ଷତିପୂରଣ ପ୍ରଦାନରେ ଥିବା ଅସଂଗତି ଦୂର ପାଇଁ ଭୁବନେଶ୍ୱରରେ ହେବ ଆଲୋଚନା – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବ୍ଲକ ସ୍ଥିତ ବାରପୁଡୁଗିଆ ଗ୍ରାମରେ ଲୋୟର ସୁକତେଲ ଜଳ ସେଚନ ଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିବା ଓ ତାର ସମାଧାନ ବାହାର କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁର୍ନବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ବ୍ଲକସ୍ତରୀୟ ଯନ୍ତ୍ରୀ, କୃଷି ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି । ମୁଖ୍ୟତଃ ବାରପୁଡୁଗିଆ ଗ୍ରାମ ଯାହାକି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଂଶିକ ଭାବେ କ୍ଷତିଗ୍ରସ୍ତ ହେଉଛି ସେଠାକାର ଲୋକଙ୍କ ସାମୁହିକ ସମସ୍ୟା ଯଥା ବ୍ୟକ୍ତିଗତ ସମସ୍ୟା ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନଙ୍କ ସମ୍ମୁଖରେ ଲୋକେ ବିଧାୟକଙ୍କୁ ଜଣାଇଥିଲେ । କ୍ଷତିପୁରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ପ୍ରଭାବିତ ଏବଂ ଆଂଶିକ ପ୍ରଭାବିତଙ୍କୁ କ୍ଷତିପୁରଣ ପ୍ରଦାନରେ ଅନେକ ପାତର ଅନ୍ତର କରୁଥିବାରୁ ଲୋକେ ଅଧିକାରୀମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଉଦାହରଣ ସ୍ୱରୁପ ଯେହେତୁ ସମ୍ପୂର୍ଣ୍ଣ ପ୍ରଭାବିତ ଗାଁ କ୍ଷତିପୂରଣ ପ୍ରଦାନରେ କଟ ଅଫ୍ ସମୟସୀମା ୨୦୨୦ ରଖୁଥିବା ବେଳେ ଆଂଶିକ ପ୍ରଭାବିତ ବାରପୁଡୁଗିଆକୁ ୨୦୦୨ ମସିହାରେ ରଖାଯାଇଛି । ଫଳରେ କ୍ଷତିପୂରଣ ପ୍ରଦାନରେ ଅନେକ ପାତରଅନ୍ତର ହେଉଛି । ବିଧାୟକ ଶ୍ରୀ ମିଶ୍ର ଏବଂ ଅଧିକାରୀମାନଙ୍କ ସମ୍ମୁଖରେ ଲୋକେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସମାନ ପ୍ରକଳ୍ପ ସମାନ ଭାବରେ ପ୍ରଭାବିତ ହେଉଥିବା ଲୋକେ କିପରି ଅଲଗା ଅଲଗା ପରିମାଣର କ୍ଷତିପୂରଣ ପାଇବେ । ପୁଣି ୨୦୦୭ ମସିହାରେ ସରକାର ଏହି ଗାଁକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଗାଁ ଭାବେ ଘୋଷଣା କରିଥିଲେ କିନ୍ତୁ ବର୍ତ୍ତମାନ ଯେତେବେଳେ ପ୍ରକଳ୍ପ କାର୍ଯ୍ୟ ତିବ୍ର ଗତିରେ ଚାଲିଛି ସରକାର ପୁଣି ବାରପୁଡୁଗିଆକୁ ଆଂଶିକ କ୍ଷତିଗ୍ରସ୍ତ ହିସାବରେ କ୍ଷତିପୂରଣ ଦେବାର ମସୁଧା କରୁଛନ୍ତି । ଏହି ସବୁକୁ ନେଇ ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ତାଙ୍କ ଆଗାମୀ ଭୁବନେଶ୍ୱର ଗସ୍ତରେ ପ୍ରକଳ୍ପ ସମ୍ବନ୍ଧୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଅଧିକାରୀମାନଙ୍କ ସହ ଏପରି କ୍ଷତିପୁରଣ ପ୍ରଦାନ ଉପରେ ଆଲୋଚନା କରିବେ ନଚେତ ଲୋକେ ଆନ୍ଦୋଳନମୁହାଁ ହୋଇପାରନ୍ତି ବୋଲି କହିଛନ୍ତି । ଏହା ସହ ଗାଁରେ ଥିବା ଲୋକଙ୍କ ସମସ୍ୟା ଯଥା ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ପ୍ରଦାନରେ ବିଳମ୍ବ, ନୂତନ ରାସ୍ତା ନିର୍ମାଣ, ଧାନକିଣା ସମସ୍ୟା ଉପରେ ମଧ୍ୟ ଉପସ୍ଥିତ ଥିବା ବ୍ଲକ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ଲୋକେ ସମ୍ପୂର୍ଣ୍ଣ ବିସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏ ଅଂଚଳରେ ଅମଳ ହେଉଥିବା ଧାନକୁ ମଧ୍ୟ ସରକାର ଲୋକଙ୍କଠାରୁ କିଣିବେ ବୋଲି ଲୋକଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ ବାରପୁଡୁଗିଆର ଜୟକୃଷ୍ଣ ମିଶ୍ର, ବିଜୟ ମହଲା, ରାଜକୁମାର ପଟେଲ, ଯେଗେଶ୍ୱର ସାଏ, ଭରତ ବରିହା, ପର୍ଶୁରାମ ନାଏକ, ପାଣ୍ଡବ ମହଲା, ମଦନ ସାହୁ, ବଳରାମ ନାହାକ, ଗଦନ ସାହୁ, ସନ୍ତୋଷ ମିଶ୍ର, ନିଳାଦ୍ରୀ ବିହାରୀ ମିଶ୍ର, ବିଘ୍ନରାଜ ସାଏ, ସରୋଜ ମେହେର, ବଡ ନାଗଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।