oom

ରକ୍ତଦାନ ଶିବିର ଆୟୋଜନ କରି ଗୋଲଡେନ୍‌ ବଏକୁ ସ୍ୱାଗତ କଲା ସଂକଲ୍ପ ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱ ବିଜେତା ଗୋଲଡେନ୍‌ ବଏ ପ୍ରମୋଦ ଭଗତଙ୍କ ପାଇଁ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଜନ୍ମମାଟି ବରଗଡ଼ରେ ମଧ୍ୟ ବିପୁଳ ସ୍ୱାଗତ ଦିଆଯାଇଛି ହେଲେ ବରଗଡ଼ର ସ୍ବେଛାସେବୀ ସଙ୍ଗଠନ ସଂକଲ୍ପ ପରିବାର ନିଆରା ଢ଼ଙ୍ଗରେ ସୁନାପୁଅ ପ୍ରମୋଦଙ୍କୁ ସ୍ୱାଗତ କରିଥିଲେ । ବରଗଡ଼ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ରକ୍ତଦାନ ମହତ ଦାନ ଭଳି ବାର୍ତ୍ତା ଦେଇ ସଂକଲ୍ପ ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରି ବରଗଡ଼ ରକ୍ତଭଣ୍ଡାରକୁ ଦିଆଯାଇଥିଲା । ଏହି ରକ୍ତଦାତା ମାନେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଉତ୍ସର୍ଗୀକୃତ କରିଥଲେ । ପାରା ବେଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପ୍ରଥମେ ଫିତାକାଟି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ରକ୍ତର ଅଭାବକୁ ଦୂର କରିବା ପାଇଁ ରକ୍ତଦାନ ଶିବିର ମାଧ୍ୟମରେ ଯୁବପିଢ଼ି ଆଗକୁ ଆସିବା ପାଇଁ ସୁନାପୁଅ ଆହ୍ୱାନ କରିଥିଲେ । ଏହା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଯୋଗଦେଇ ସଂକଲ୍ପ ପରିବାର ସହ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବରଗଡ଼ ଟାଉନ ଥାନାର ଏସ୍‌ଆଇ ସମ୍ୟକାନ୍ତ ବଳିଆର ସିଂ ଏବଂ ହୋମଗାର୍ଡ ଦୀପକ ସେଠ ରକ୍ତଦାନ କରିଥିଲେ । ୪ ଜଣ ମହିଳାଙ୍କ ସହିତ ୫ ଜଣ ସାମ୍ବାଦିକ ଉକ୍ତ ଶିବିରରେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରକୁ ସଂକଲ୍ପ ପରିବାରର ସଭାପତି ରୋହିତ ଜଶ୍ୱାଳ ଓ ବିକାଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂକଲ୍ପ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ସଂକଲ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.