ବୀରମହାରାଜପୁର ଠାରେ ୧୨ଘଣ୍ଟିଆ ବନ୍ଦ ପାଳନ କଲା କଂଗ୍ରେସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁରର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଆଜି ବୀରମହାରାଜପୁର ଠାରେ ୧୨ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି । କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଏହି ଆନ୍ଦୋଳନରେ ବୀରମହାରାଜପୁର ଅଂଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ଏନଏସି ମାନ୍ୟତା, ମହାନଦୀ ଉପରେ ପ୍ରସ୍ତାବିତ ଦେଉଳୀ-ବାଉଁଶୁଣୀ ସେତୁ ନିର୍ମାଣ, ସୁରୁବାଲି ଯୋରରେ ଆନିକଟ ତଥା ହରିହର ଯୋର ବାମପାଶ୍ୱର୍ କେନାଲ ନିର୍ମାଣ ଭଳି ପ୍ରମୁଖ ୪ ଗୋଟି ଦାବୀ ନେଇ ଏହି ୧୨ ଘଂଟିଆ ବନ୍ଦ ହୋଇଥିବା ଜଣାପଡିଛି । ବନ୍ଦର ପ୍ରଭାବରେ ବୀରମହାରାଜପୁର ଉପଖଣ୍ଡ ସଦର ମହକୁମାର ଦୋକାନ ବଜାର, ରାସ୍ତାଘାଟରେ ଗାଡି ଚଳାଚଳ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରୀୟବ୍ରତ ସାହୁଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆଙ୍କ ସମେତ ଦଳର ନେତା ଓ କର୍ମୀ ସକାଳୁ ସକାଳୁ ମୁଖ୍ୟ ଛକରେ ପହଂଚି ପିକେଟିଂ କରିଛନ୍ତି । ଆଇନଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୀରମହାରାଜପୁର ଥାନା ପକ୍ଷରୁ ମୁଖ୍ୟଛକ ମାନଙ୍କରେ ପୋଲିସ ମୁତୟନ ରଖାଯାଇଥିଲା ।

Leave A Reply

Your email address will not be published.