ସୁବର୍ଣ୍ଣପୁର ଜିଲ୍ଲାର ମରୁଡି ଅଂଚଳ ପରିଦର୍ଶନ କଲେ ରାଜ୍ୟ ବିଜେପିର ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନିଅଣ୍ଟିଆ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଅଣ ଜଳସେଚିତ ଉଲୁଣ୍ଡା, ବୀରମହାରାଜପୁର, ତରଭା ସମେତ ସଦର ସୁବର୍ଣ୍ଣପୁର ବ୍ଲକରେ ମରୁଡି ଦେଖାଦେଇଛି । ସ୍ୱଳ୍ପ ବୃଷ୍ଟିପାତ ହେତୁ ଅନେକ ସ୍ଥାନରେ ରୁଆ, ବିହୁଡା କାର୍ଯ୍ୟ ହୋଇପାରିନଥିବା ବେଳେ କ୍ଷେତରେ ଥିବା ଧାନଗଛ ସବୁ ମରିବା ସହ ମାଟି ଫାଟି ବସିଲାଣି । ଏପରି ସ୍ଥିତିରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ପରିଦର୍ଶନରେ ଆସି ମରୁଡି ପ୍ରବଣ ବିଦୁରୁପାଲି, ପଣ୍ଡକିଟାଲ ପରି ଗାଁର ଚାଷଜମି ବୁଲି ଦେଖିବା ସହ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଛି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଓ ରାଜ୍ୟ ବିଜେପିର ମୁଖପାତ୍ର ବିରଂଚି ମିଶ୍ର ପ୍ରମୁଖ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସାଂଗରେ ମରୁଡି ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ୨ଦଶନ୍ଧି ଧରି ରାଜ୍ୟରେ କ୍ରମାଗତ ବିଜେଡି ଶାସନ ଥିଲେ ହେଁ ଆଜି ବି ଚାଷଜମିକୁ ଜଳସେଚନ ସୁବିଧା କରି ପାରିନଥିବାରୁ ଏମିତି ଅଭାବିତ ମରୁଡିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନର ମରୁଡି ସ୍ଥିତିକୁ ଦେଖି ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥାୟୀ ଜଳସେଚନ ସୁବିଧା, ମରୁଡିଗ୍ରସ୍ତ ଅଂଚଳର ଚାଷୀଙ୍କ ଋଣ ଛାଡ ଓ ଅବିଳମ୍ବେ ମରୁଡି ସହାୟତା ଯୋଗାଇ ଦେବାକୁ ବିଜେପି ପ୍ରତିନିଧି ମଣ୍ଡଳୀର ମୁଖ୍ୟ ମନମୋହନ ସାମଲ ଦାବୀ କରିଛନ୍ତି ।

Leave A Reply

Your email address will not be published.