ସାରର ନିଅଣ୍ଟିଆ ଅବସ୍ଥା ପାଇଁ କେନ୍ଦ୍ରକୁ ଦାୟୀ କଲା ବିଜୁ କୃଷକ ଜନତା ଦଳ : ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ସରକାର ରାଜ୍ୟକୁ ଚୁକ୍ତି ମୁତାବକ ସାର ଯୋଗାଉ ନାହାନ୍ତି । ଫଳରେ ରାଜ୍ୟରେ ଚାଷୀଙ୍କ ପାଇଁ ଅତ୍ୟାବଶକୀୟ ସାରର ଘୋର ଅଭାବ ଦେଖା ଦେଇଛି ବୋଲି ଅଭିଯୋଗ କରିବା ସହ ରାଜ୍ୟରେ ସାରର ନିଅଣ୍ଟିଆ ଅବସ୍ଥା ବିରୁଦ୍ଧରେ ବିଜୁ କୃଷକ ଜନତା ଦଳ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲା ସଭାପତି ଅଜୟ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡିର ନେତୃବୃନ୍ଦ କେନ୍ଦ୍ରର ଚାଷୀମାରଣ ନୀତି ବିରୁଦ୍ଧରେ ବିଷୋଦ୍‌ଗାର କରିଛନ୍ତି । ଏହି ମାମଲାରେ ରାଜ୍ୟର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ନିବେଦନ ପୂର୍ବକ ଏକ ଦାବୀ ପତ୍ର ବିଜୁ କୃଷକ ଜନତା ଦଳ ପ୍ରଦାନ କରିଛି । ଦାବୀପତ୍ର ମୁତାବକ, ୨୦୨୧ ବର୍ଷ ଖରିଫ ଋତୁ ପାଇଁ ରାଜ୍ୟରେ ବିଭିନ୍ନ ଫସଲ ପାଇଁ ୬୧.୯୬ ଲକ୍ଷ ହେକ୍ଟର ଅଂଚଳରେ ଚାଷ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଥିଲା । ତା’ଛଡା ଫସଲ ବିବିଧିକରଣ ଯୋଜନାରେ ମକା, କପା ଓ ପନିପରିବା ଭଳି ଫସଲ ପାଇଁ ୧.୫ଲକ୍ଷ ହେକ୍ଟରରେ ଚାଷର ଯୋଜନା କରାଯାଇଥିଲା । ଉଭୟ ଫସଲ ଅମଳ ପାଇଁ ଅଧିକ ସାର ଆବଶ୍ୟକ କରେ । ତେଣୁ ଖରିଫ ଋତୁ ଜୁଲାଇରୁ ସେପ୍ଟେମ୍ବର ସମୟରେ ରାଜ୍ୟ ସରକାର ବିଭିନ୍ନ ଫସଲ ପାଇଁ ସାର ଯୋଗାଇ ଦେବାକୁ କେନ୍ଦ୍ର ସାର ଆୟୋଗକୁ ଅନୁରୋଧ କରିଥିଲେ । ରାଜ୍ୟ ସରାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସାର ଆୟୋଗ ୪ ଲକ୍ଷ ୫୦ ହଜାର ମେଟ୍ରିକ ଟନ ୟୁରିଆ, ୨ ଲକ୍ଷ ମେଟ୍ରିକ ଟନ ଡିଏପି, ୧ ଲକ୍ଷ ମେଟ୍ରିକ ଟନ ଏମଓପି ଓ ୨ ଲକ୍ଷ ମେଟ୍ରିକ ଟନ ଏନପିକେ ସାର ରାଜ୍ୟକୁ ଯୋଜନା ମୁତାବକ ଯୋଗାଇ ଦେବାକୁ ରାଜି ହୋଇଥିଲେ । କିନ୍ତୁ ଅଗଷ୍ଟ ୩୦ସୁଦ୍ଧା ରାଜ୍ୟକୁ ମାତ୍ର ୨ ଲକ୍ଷ ୧୭ ହଜାର ମେ.ଟନ ୟୁରିଆ, ୧ଲକ୍ଷ ୪୦ହଜାର ମେ.ଟନ ଡିଏପି ୫୦ହଜାର ମେ. ଟନ ଏମଓପି ଓ ୧ଲକ୍ଷ ୫୦ହଜାରମେ.ଟନ ଏନପିକେ ସାର କେନ୍ଦ୍ର ତରଫରୁ ଯୋଗଇ ଦିଆଯାଇଛି । ଏହାଦ୍ୱାରା ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି । ଠିକଣା ସମୟରେ ସାର ନମିଳିଲେ ସମଗ୍ର ରାଜ୍ୟର ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି । ତେଣୁ ମହାମାହିମ ରାଷ୍ଟ୍ରପତି ଉକ୍ତ ଘଟଣାରେ ହସ୍ଥକ୍ଷେପ କରି ସାର ଯୋଗାଣ ଯୋଜନା ମୁତାବକ ଓଡିଶାକୁ ସାର ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ କରିବାକୁ ବିଜୁ କୃଷକ ଜନତା ଦଳ ନିବେଦନ କରିଛି । ଆଜି ସକାଳୁ ସ୍ଥାନୀୟ କଳାମଣ୍ଡଳ ପଡିଆରେ ଦଳର କର୍ମକର୍ତ୍ତାମାନେ ଏକଜୁଟ ହେବା ପରେ କେନ୍ଦ୍ର ବିରୁଦ୍ଧରେ ନାରା ଦେଇ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ଅଭିମୂଖେ ଏକ ର‍୍ୟାଲିରେ ବାହାରି ଥିଲେ । ବିକ୍ଷୋଭ ସ୍ଥଳକୁ ପହଞ୍ଚିବା ପରେ ଦଳର ବିଭିନ୍ନ ନେତୃବୃନ୍ଦ କେନ୍ଦ୍ର ଜାଣି ଶୁଣି ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାର ଚାଷୀକୂଳ ଓ ରାଜ୍ୟ ସରକାରଙ୍କୁ ହଇରାଣ କରୁଛି ବୋଲି କେନ୍ଦ୍ର ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ ବିଧାୟକ ସରୋଜ ମେହେର, ବିଜେଡି ଯୁବ ନେତା ଅର୍କେଶ ସିଂ ଦେଓ, ଅଶୋକ ମହାନ୍ତି, ଦମୟନ୍ତୀ ବାଗ, ରାଜେନ୍ଦ୍ର ହୋତା, କୈଳାସ ମହାନ୍ତି, ନିହାର ରଞ୍ଜନ ବେହେରା , ପ୍ରଦୀପ ଗୁରୁ, ଲକ୍ଷ୍ମଣ ମେହେର, ମହେଶ୍ୱର ସାହୁ, ସନ୍ତୋଷିନୀ ବେହେରା, ବିଜୟ ଦାଶ, ବିମଳ ମେହେର, ରୋହିତ ସାହୁ, ଅରୁଣ ମିଶ୍ର, ବାସୁଦେବ ପତି, ଗୋଲାପ ବାଗ, ସାଗର ସଙ୍ଗମ ଶତପଥି, ଓମକାର ନାୟକ, ନରସିଂହ ବାଗ, ସୁଶିଲ ଚାନ୍ଦ, ପ୍ରମୋଦ ପ୍ରଧାନ, ସୁରେନ୍ଦ୍ର ସାହୁ, ହଂସରାଜ ଜୈନ, ପ୍ରଦ୍ୟୁମ୍ନ ହୋତା ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.