ମହାନଦୀରେ ମତ୍ସ୍ୟ ସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଁଆଳ ଛାଡ଼ିବା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଓଡିଶାଙ୍କ ନିର୍ଦେଶ କ୍ରମେ ମହାନଦୀରେ ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଁଆଳ ଛାଡିବା କାର୍ଯ୍ୟକ୍ରମ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଯୋଗଦାନ କରି ସୁବର୍ଣ୍ଣପୁର ଜିଲ୍ଲା ଯେପରି ଧାନ ଚାଷରେ ସମଗ୍ର ଓଡ଼ିଶାରେ ନାଁ ରଖିଛି ଠିକ୍ ସେପରି ମତ୍ସ୍ୟ, ପଶୁ ପାଳନ ତଥା ସମନ୍ଵିତ କୃଷି ପ୍ରଣାଳୀରେ ଚାଷ କରି ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପନିର୍ଦେଶକ ମତ୍ସ୍ୟ ବିଭାଗ, ଓଡିଶା ଶଶୀକାନ୍ତ ଆଚାର୍ଯ୍ୟ ଯୋଗଦାନ କରି ମହାନଦୀରେ ମାଛର ବଂଶ ବୃଦ୍ଧିର ଆବଶ୍ୟକତା, ଉପାଦେୟତା ଓ ଭବିଷ୍ୟତ ଲକ୍ଷ୍ୟ ତଥା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ କରି ଜିଲ୍ଲାରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟ ସମିତି ଗଠନ କରିବା ସହ ପୁରାତନ ମତ୍ସ୍ୟ ସମିତି ଗୁଡିକ ପୁର୍ନଜୀବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାସ ନିଜ ବକ୍ତବ୍ୟରେ ବିଭାଗର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମହାନଦୀରେ ମାଛ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ଅତିଥି ସୁବ୍ରତ ଦାସ, ନୀଳାମ୍ବର କୀଳକା ମାଛ ଯାଆଁଳ ଛାଡିବାର ଲକ୍ଷ ଓ ଉପାଦେୟତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ମତ୍ସ୍ୟଜୀବୀଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ମହାନଦୀର ରାମେଶ୍ୱର ନଦୀଘାଟରେ ବିଭିନ୍ନ ଉନ୍ନତ କିସମର ୮ଲକ୍ଷ ମାଛ ଯାଆଁଳ ଛଡ଼ାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗର ବିଭିନ୍ନ ପଦାଧିକାରୀଙ୍କ ସହ ଜିଲ୍ଲାର ମତ୍ସ୍ୟ ଜୀବୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.