ସରକାରଙ୍କୁ ଗୁହାରି କରି ନିରାଶ ହେବା ପରେ ଗାଁ ଲୋକେ ଶ୍ରମଦାନ କରି ତିଆରି କଲେ କାଠର ପୋଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଣ ପାହାଡ ଜଙ୍ଗଲ ଘେରା, ଆବଡ଼ ଖାବଡ ରାସ୍ତା । ତାହାରି ଭିତରେ ନଈ ନାଳ ଡେଇଁ ଯିବାକୁ ପଡିଥାଏ ଗାଁକୁ । ଦୀର୍ଘ ବର୍ଷ ଧରି ଗାଁ ଲୋକେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ଗାଁ ଲୋକେ । ଏମିତିକି ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରି ନିରାଶ ହେବା ପରେ ଗାଁ ଲୋକେ ନିଜସ୍ଵ ଉଦ୍ୟମରେ ଆରମ୍ଭ କରିଛନ୍ତି ଏକ କାଠର ବ୍ରିଜ । ଆମେ କଥା କହୁଛୁ ଟିଟିଲାଗଡ ବ୍ଲକ ମହୁଳପଡ଼ା ଗ୍ରାମ ପଞ୍ଚାୟତର କୁଟୁରାକେନ୍ଦ ଗାଁର କଥା । ଗାଁର ଲୋକ ମାନେ ଶ୍ରମଦାନ କରି ଦୁଇ ମୁହାଁ ନାଳ ଉପରେ କରିଛନ୍ତି ଏକ କାଠର ବ୍ରିଜ ।

ଗାଁର ନାଁ କୁଟୁରାକେନ୍ଦ । ଟିଟିଲାଗଡ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଛି ଏହି ଗାଁ । ଘଂଚ ଜଙ୍ଗଲ ମଧ୍ୟରେ ଗାଁଟି ରହିଛି । ଗାଁକୁ ଯିବାକୁ ହେଲେ ବଣ ଜଙ୍ଗଲ, ପାହାଡ ଚଟାଣ, ଆବଡ଼ା ଖାବଡ଼ା ରାସ୍ତା ଦେଇ ଯିବାକୁ ହୁଏ । ଆଉ ଏ ରାସ୍ତା ମଧ୍ୟରେ ରହିଛି ତିନୋଟି ନାଳ । ଗାଁରେ ପହଂଚିବା ପୂର୍ବରୁ ଦୁଇ ମୁହାଁ ନାଳ ଉପରେ ଏକ କାଠର ବ୍ରିଜ ନିର୍ମାଣ କରିଛନ୍ତି ଗ୍ରାମବାସୀ । କେମିତି ଗାଁ ଲୋକେ ଲାଗି ପଡିଛନ୍ତି ଯିଏ ଯାହା କାମରେ । କିଏ ଗଛରେ କଣ୍ଟା ପିଟିବାରେ ଲାଗିଥାଏ ତ କିଏ ଗଛ ବୋହି ଆଣୁଥାଏ । କିଏ ଗଛ ଗୁଡିକୁ ସଜାଡି ଦିଏ ତ କିଏ ଗାତ ଖୋଲି ଗଛ ପୋତେ । ପୁଣି କିଏ କରତ ସାହାର୍ଯ୍ୟରେ ଅନ୍ତିମ ସ୍ପର୍ଶ ଦେବାରେ ଗଛ ଗୁଡିକୁ କାଟେ । ଗାଁ ଲୋକେ ନିଜେ ନିଜର ଶ୍ରମଦାନ କରି ତଥା ନିଜେ ନିଜ ଜମି ଗୁଡିକରେ ଥିବା ଗଛ ଗୁଡିକୁ ଆଣି ବ୍ରିଜ ନିର୍ମାଣରେ ଲାଗି ପଡ଼ିଥିଲେ । ଦୁଇ ମୁହାଁ ନାଳରେ ଛଅମାସ ଧରି ଛଅ ଫୁଟରୁ ଉପରେ ପାଣି ରହୁଥିବାରୁ ଗାଁ ଲୋକେ ଏକ ବ୍ରିଜ ତିଆରି କରିବାରେ ଲାଗି ପଡିଛନ୍ତି ।

ବର୍ଷା ଦିନ ଆସିଲେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଅସମ୍ଭାଳ ହୋଇପଡେ । ଗାଁ ପାଖରେ ଥିବା ତିନୋଟି ନାଳରେ ବର୍ଷା ପାଣି ଭରି ରହେ । ଜଳବନ୍ଦୀ ଅବସ୍ଥାରେ ତିନିମାସ ଗାଁ ଲୋକେ ରହିଥାନ୍ତି । ଯୋଗାଯୋଗ ଏବଂ ଗମନାଗମନ ବିଛିନ୍ନ ହୋଇପଡେ । ଦୁଇ ମୁହାଁ ନାଳରେ ଏକ ବ୍ରିଜ ନିର୍ମାଣ ଦାବୀ ନେଇ ଗାଁ ଲୋକେ ଅନେକ ଥର ଟିଟିଲାଗଡ ବିଧାୟିକାଙ୍କ ଠୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମାନଙ୍କଠୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଗୁହାରି କରି କରି ନିରାଶ ହେବା ପରେ ଗାଁ ଲୋକେ ନିଜେ ଶ୍ରମଦାନ କରି କାଠ ପୋଲ ତିଆରି କରିବାରେ ଲାଗି ପଡ଼ିଛନ୍ତି । ବର୍ଷା ଦିନରେ ନାଳରେ ଛଅ ଫୁଟ ରହିଥିବାରୁ ସ୍କୁଲ ପିଲା, ଗ୍ରାମବାସୀ, ଗାଁରୁ ବାହାରକୁ ବାହାରିବା କାଠିକର ହୋଇଥାଏ । ଏମିତି ସମୟରେ କିଏ ରୋଗରେ ପଡିଲେ ତ କଥା ସାରିଲା । ଆଉ ଗର୍ଭବତୀ ମହିଳାଙ୍କ କଥା ନ କହିବା ଭଲ । ସରକାରଙ୍କୁ ବ୍ରିଜ ଖଣ୍ଡେ ପାଇଁ ନିବେଦନ କରି କରି ନିରାଶ ହେବା ପରେ କିଛି ଟା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଗାଁ ଲୋକେ । ସେପଟେ ଏ ଘଟଣାକୁ ନେଇ ପୂର୍ବତନ ଶାସନ ସଚିବ ତଥା କେବିକେ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଗ୍ରାମବାସୀଙ୍କ ଶ୍ରମଦାନକୁ ସାଧୁବାଦ୍ ଜଣାଇବା ସହ ଏ ମହତ୍ ଉଦ୍ଦେଶ୍ୟ ନେଇ କାମ କରିଥିବାରୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ଏବଂ ଆଗାମୀ ଦିନରେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ପାଇଁ ଏକ ବ୍ରିଜ ନିର୍ମାଣ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.